କାହିଁକି କେନ୍ଦ୍ରସରକାରଙ୍କୁ ଚିଠି ଲେଖିଲା କଂଗ୍ରେସ
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଆଗକୁ ଯେମିତି ଏପରି ତ୍ରୁଟି ନ ହେବ ଓ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଚିଠି ଲେଖାଯାଇଛି।
କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଦିଲ୍ଲୀକୁ ଭାରତ ଯୋଡ଼ୋ ଯାତ୍ରା ଆସିବା ପୂର୍ବରୁ ଏକାଧିକ ଥର ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା।
ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ୍ ଭାରତ ଯୋଡ଼ୋ ଯାତ୍ରାରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ଫେଲ ମାରିଛି। ରାହୁଲ ଗାନ୍ଧି ଜେଡ୍+ ସୁରକ୍ଷା ପାଇଛନ୍ତି। ହେଲେ ତାଙ୍କ ୪ ପାଖରେ ଦିଲ୍ଲୀ ପୁଲିସ୍ ଆବଶ୍ୟକ ସୁରକ୍ଷା ବଳୟ କରିବାରେ ବିଫଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା କଂଗ୍ରେସ କର୍ମୀ ଓ ଭାରତ ଯାତ୍ରୀମାନେ ବାଧ୍ୟ ହୋଇ ଗୋଟିଏ ସୁରକ୍ଷାବଳୟ ସୃଷ୍ଟି କରିଥିଲେ। ଦିଲ୍ଲୀ ପୁଲିସ୍ ପ୍ରବଳ ଭିଡ଼ ସତ୍ତ୍ୱେ କେବଳ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।