ଭୁବନେଶ୍ୱର (ଆମ ଟିଭି): ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।
ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ସାଢେ ୮ ଘଣ୍ଟା ଚାଲିଥିଲା ।କାରଣ ଗତ ରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିଥିବା ବେଳେ ସକାଳ ସାଢେ ୮ଟାରେ ସରିଥିଲା ଏହି ପ୍ରକ୍ରିୟା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ବିଳମ୍ବ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା।
ଏହାର ଅର୍ଥ ବାତ୍ୟାର ଦୁଇ ପଟେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରେ ଦୁଇଟି ଗୁରୁଚାପ ବଳୟ ସୃଷ୍ଟି ହୋଇଥିଲା। ତାହା ଦୁଇ ପଟୁ ବାତ୍ୟା ‘ଦାନା’କୁ ଚାପିଦେଲା। ଏଥିସହ ଗୁରୁଚାପ ବଳୟରୁ ନିର୍ଗତ ହେଉଥିବା ଶୁଷ୍କ ବାୟୁ ‘ଦାନା’ ମଧ୍ୟରେ ପ୍ରବେଶ କଲା। ଏଥିପାଇଁ ବାତ୍ୟା ‘ଦାନା’ ଦୁର୍ବଳ ହୋଇପଡ଼ିବା ସହ ଏହାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ସେ କହିଛନ୍ତି ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଆମ ପୂର୍ବାନୁମାନ ପ୍ରାୟତଃ ଠିକ୍ ରହିଛି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେତେବେଳେ ପବନର ବେଗ କେତେ ରହିବ ସେ ନେଇ ଆମ ଆକଳନ ଠିକ୍ ରହିଛି। ମାତ୍ର ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ଚାପି ହୋଇଯିବା ଯୋଗୁ ଏହା ଶକ୍ତିଶାଳୀ ହୋଇ ପାରିଲାନି। ଫଳରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅଧିକ ସମୟ ଚାଲିଲା। ଏଥିସହ କେବଳ ଲ୍ୟାଣ୍ଡଫଲ୍ କରିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିଲା। ମୁଖ୍ୟତଃ ବାତ୍ୟା ଶକ୍ତିଶାଳୀ ହେଲେ ହିଁ ତାହାର ଆଖି ଦୃଶ୍ୟମାନ ହୋଇଥାଏ। ମାତ୍ର ‘ଦାନା’ ଦୁର୍ବଳ ହୋଇ ପଡ଼ିବାରୁ ତାହାର ଆଖି ବାହାରି ନ ଥିଲା। ଦୁର୍ବଳ ବାତ୍ୟା ସମ୍ପର୍କରେ ପୁର୍ବାନୁମାନ କରିବା ଅଧିକ କଷ୍ଟକର ବୋଲି କହିଛନ୍ତି ଉମାଶଙ୍କର ଦାସ ।