ଅକ୍ଟୋବର ମାସରେ ଓଡିଶାରେ ବାତ୍ୟା ହେବ କି ? ଜାଣନ୍ତୁ କଣ ରହିଛି ସତ୍ୟତା

0

ଭୁବନେଶ୍ବର (ଆମ ଟିଭି): ଅକ୍ଟୋବର ମାସ ଆସିଲେ ଓଡିଶାବାସୀଙ୍କ ଚିନ୍ତା ଏଥର ବାତ୍ୟା ଆସିବ କି? ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ଅକ୍ଟୋବର ମାସ ପାଖେଇବାରେ ଲାଗିଛି। ସେଥିପାଇଁ ଓଡିଶାରେ ଏଥର ବାତ୍ୟା ହେବ କି ନାହିଁ ସେ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ଆଶଙ୍କାକୁ ଦୃଢିଭୂତ କରିଦେଇଛି କେତେକ ବିଦେଶୀ ପାଣାପାଗ ସଂସ୍ଥା।

ସେମାନଙ୍କର କହିବା କଥା ଯେ, ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା ହେବ। ତଥ୍ୟ ଅନୁସାରେ ଆରବ ସାଗରରେ ଲା ନିନା ପରିସ୍ଥିତି ସୃଷ୍ଟି ହେବ। ଏହା ଲାଗି ରହିଲେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଧିକ ରହିଛି ବୋଲି ସେହି ବିଦେଶୀ ସଂସ୍ଥା କହିଛି। ଫଳରେ ଏହାକୁ ନେଇ ରାଜ୍ୟବାସୀ ଆତଙ୍କିତ ହୋଇପଡିଛନ୍ତି।

ସାଧାରଣତଃ ପ୍ରତିବର୍ଷ ଆରବ ସାଗର ଏବଂ ବଙ୍ଗୋପସାଗରରେ ପାଞ୍ଚଟି ବାତ୍ୟା ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ତିନୋଟି ଅକ୍ଟୋବର ମାସରୁ ଡିସେମ୍ବର ମାସ ମଧ୍ୟରେ ହୋଇଥାଏ। ହେଲେ ଚଳିତ ବର୍ଷ ଆଦୌ କୌଣସି ବାତ୍ୟା ଉଭୟ ସାଗରରେ ସୃଷ୍ଟି ହୋଇ ନାହିଁ। ଫଳରେ ଅକ୍ଟୋବର ଡିସେମ୍ବର ମାସ ମଧ୍ୟରେ ବାତ୍ୟା ହେବାର ସମ୍ଭାବନାକୁ ଅଧିକ ଦୃଢିଭୂତ କରିବାରେ ଲାଗିଛି।

ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଆରବ ସାଗର କିମ୍ବା ବଙ୍ଗୋପସାଗରରେ ବାତ୍ୟା ହେବାର କୌଣସି ସୂଚନା ନାହିଁ। ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କେଉଁଠି ବାତ୍ୟା ହେବାର ସୂଚନା ନାହିଁ। ତେଣୁ ସେପରି କିଛି ଖବରକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି। ବାତ୍ୟା ହେଲେ ବହୁ ପୂର୍ବରୁ ସୂଚନା ପ୍ରଦାନ କରାଯିବ।

ସେ ଆହୁରି କହିଛନ୍ତି ଯେ, ମୌସମୀ ବେଳେ ଆରବ ସାଗର ଏବଂ ବଙ୍ଗୋପସାଗରରେ ବାତ୍ୟା ହୋଇଥାଏ। ଏହାର ସମ୍ଭାବନା ସାଧାରଣତଃ ଅକ୍ଟୋବର ରୁ ଡିସେମ୍ବର ମାସ ମଧ୍ୟରେ ଅଧିକ ଥାଏ। ହେଲେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ବାତ୍ୟା ହୋଇ ନାହିଁ। ତେଣୁ ସମସ୍ତଙ୍କର ଆଶଙ୍କା ରହିଛି ଏଥର କୌଣସି ବାତ୍ୟା ହୋଇ ନ ଥିବାରୁ ଏହି ତିନି ମାସ ମଧ୍ୟରେ ନିଶ୍ଚିତ ହେବ। ତେବେ ସେ କହିଛନ୍ତି ବାତ୍ୟା ହେବେ ଲୋକଙ୍କୁ ବହୁ ପୂର୍ବରୁ ସୂଚନା ପ୍ରଦାନ କରାଯିବ। ବର୍ତ୍ତମାନ କୌଣସି ବାତ୍ୟାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.