ସିଗାରେଟ ବ୍ୟାନ୍ କରିବେ ସୁନକ ?
ଲଣ୍ଡନ: ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍ର ଆଗାମୀ ପିଢ଼ି ଆଉ ସିଗାରେଟ୍ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଗତବର୍ଷ ନିଉଜିଲାଣ୍ଡ୍ ଘୋଷଣା କରିଥିବା ଆଇନ ପରି ଧୂମପାନ-ନିରୋଧୀ କଟକଣା କଥା ସୁନକ ଚିନ୍ତା କରୁଛନ୍ତି। ଅନ୍ୟାନ୍ୟ କଟକଣା ସହିତ ୨୦୦୯ ଜାନୁଆରି ୧ ତାରିଖରେ କିଂବା ତା’ପରେ ଜନ୍ମିତ କୌଣସି ବ୍ୟକ୍ତି ତମାଖୁ କିଣାବିକା କରି ପାରିବେ ନାହିଁ ବୋଲି ନିଉଜିଲାଣ୍ଡ୍ ଆଇନରେ ଘୋଷଣା କରାଯାଇଛି।
ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ଇ-ମେଲ୍ ଜରିଆରେ ଦେଇଥିବା ଉତ୍ତରରେ ବ୍ରିଟିସ୍ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ଅଧିକ ଲୋକଙ୍କୁ ଧୂମପାନ ପରିତ୍ୟାଗ କରିବାକୁ ଉତ୍ସାହିତ କରି ୨୦୩୦ ସୁଦ୍ଧା ଧୂମପାନ ନିଷେଧ ପାଇଁ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବା ହେଉଛି ଆମର ଉଦ୍ଦେଶ୍ୟ। ଧୂମପାନ ହାର ହ୍ରାସ କରିବା ଲାଗି ଆମେ କେତେକ ପଦକ୍ଷେପ ଗ୍ରହଣ କରିସାରିଲୁଣି।