କେଜ୍ରିୱାଲଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, କହିଲେ ‘ଆପଣ କ୍ଷମତାର ନିଶାରେ ବୁଡି ଯାଇଛନ୍ତି’,
ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଲେ ସାମାଜିକ କର୍ମୀ ଆନ୍ନା ହଜାରେ । ଚିଠି ମାଧ୍ୟମରେ ଆନ୍ନା ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି କି ‘ଶେଷରେ ତୁମେ ବି କ୍ଷମତା ନିଶାରେ ବୁଡିଗଲ’। ଯେତେବେଳେ ଟିମ୍ ଆନ୍ନାର ସଦସ୍ୟମାନେ ୧୦ବର୍ଷ ପୂର୍ବେ ସେପ୍ଟେମ୍ବର ୧୮, ୨୦୧୨ରେ ଦିଲ୍ଲୀରେ ବୈଠକ କରିଥିଲେ, ସେତେବେଳେ ଆପଣ ଏକ ରାଜନୈତିକ ପଥ ଆପଣେଇବା ବିଷୟରେ କହିଥିଲେ। କିନ୍ତୁ ରାଜନୈତିକ ଦଳ ଗଠନ ଆମର ଆନ୍ଦୋଳନର ଲକ୍ଷ୍ୟ ନଥିଲା। ସେତେବେଳେ ଟିମ୍ ଆନ୍ନାକୁ ନେଇ ଜନସାଧାରଣଙ୍କ ମନରେ ଏକ ବିଶ୍ୱାସ ଥିଲା। ସେଥିପାଇଁ ସେହି ସମୟରେ ମୁଁ ଭାବିଥିଲି ଯେ, ଟିମ୍ ଆନ୍ନା ଦେଶ ଭ୍ରମଣ କରିବା ସହ ଲୋକଙ୍କୁ ସଚେତନ କରିବ।
ଆନ୍ନା ହଜାରେ ଚିଠିରେ ଲେଖିଛନ୍ତି,’ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ପ୍ରଥମ ଥର ଯେତେବେଳେ ମୁଁ ଆପଣଙ୍କୁ ଚିଠି ଲେଖିଛି । ମଦ ଘୋଟାଲାରେ ଦିଲ୍ଲୀ ସରକାରକୁ ନେଇ ନିକଟ ଅତୀତ ସମସ୍ତ ଖବର ନୈରାସ୍ୟଜନକ ରହିଛି । ମୁଁ ଗାନ୍ଧୀ ଜୀ ଏବଂ ତାଙ୍କ ବିଚାରଧାରାରୁ ପ୍ରେରିତ । ଏହି ଆଧାରରେ ମୁଁ ମୋ ଜୀବନ ଲୋକ, ସମାଜ ଏବଂ ଦେଶ ପାଇଁ ସମର୍ପିତ କରିଛି । ଗତ ୪୭ ବର୍ଷରେ ସମାଜର ଉତ୍ଥାନ ଏବଂ ଭଷ୍ଟ୍ରାଚାର ଦୂର କରିବା ଦିଗରେ କାମ କରୁଛୁ’। ସେ ଲେଖିଛନ୍ତି, ‘ଆପଣ ସ୍ୱରାଜ ନାମକ ଏକ ବହି ଲେଖିଥିଲେ, ଏଥିରେ ଆପଣ ଆଦର୍ଶ ବିଷୟରେ ଲେଖିଥିଲେ । ସେହି ସମୟରେ ଆପଣଙ୍କ ଠାରୁ ବେଶି ଆଶା ଥିଲା, କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ବିଚାରଧାରାକୁ ଭୁଲି ଯାଇଛନ୍ତି । ଆପଣ କ୍ଷମତାର ନିଶାର ବୁଡି ରହିଥିବା ଅନୁଭବ ହେଉଛି’।