ଯୋଗୀ ସରକାରଙ୍କ ବଡ଼ ଘୋଷଣା: ରକ୍ଷାବନ୍ଧନ ଦିନ ମହିଳାଙ୍କ ପାଇଁ ୪୮ଘଣ୍ଟା ବସ୍ଯାତ୍ରା ଫ୍ରି
ଲକ୍ଷ୍ନୌ(ଆମ ଟିଭି): ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବଡ଼ ଘୋଷଣା। ରକ୍ଷାବନ୍ଧନ ଉପଲକ୍ଷେ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ପାଇଁ ୪୮ଘଣ୍ଟା ବସ୍ଯାତ୍ରା ଫ୍ରି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍ କରାଯାଇଥିବା ଟୁଇଟ୍ରେ ଉଲ୍ଲେଖ ଅଛି ଯେ ରକ୍ଷାବନ୍ଧନ ଅବସରରେ, ରାଜ୍ୟର ସମସ୍ତ ମହିଳାମାନଙ୍କ ନିରାପଦ ଯାତ୍ରା ନିମନ୍ତେ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମ ମାଗଣା ବସ୍ଯାତ୍ରା ସୁବିଧା ଯୋଗାଇ ଦେବ। ଉପରୋକ୍ତ ବ୍ୟବସ୍ଥା ଅନୁସାରେ, ମହିଳାମାନେ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ପରିବହନ ନିଗମ ବସ୍ରେ ମହିଳାମାନେ ନିଶୁଳ୍କ ଯାତ୍ରା କରିପାରିବେ।
ରକ୍ଷାବନ୍ଧନ ସହ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନର ଅଂଶବିଶେଷ ଭାବେ ମଧ୍ୟ ରାଜ୍ୟର ମହିଳାମାନଙ୍କୁ ଏହି ମାଗଣା ବସ୍ଯାତ୍ରା ସୁବିଧା ଯୋଗାଇଦିଆଯାଉଛି।