କେନ୍ଦ୍ରମନ୍ତ୍ରୀଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ମିଳିଲା ହତ୍ୟା ଧମକ । ନାଗପୁରରେ ଅବସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଏହି ଧମକ ମିଳିବା ପରେ ନିତିନ ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୁଲିସକୁ ଏକ ଅଭିଯୋଗ ଦିଆଯାଇଛି।
ସୂଚନାନୁସାରେ, ଆଜି ସକାଳୁ ୩ଥର ନିତିନ ଗଡକରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପୁଲିସକୁ ଏନେଇ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ କରାଯାଇଛି। ନାଗପୁରର ଜନସମ୍ପର୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା ବୋଲି ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମ ଜି ନିଉଜ୍ ଅନୁଯାୟୀ, ନିତିନ ଗଡକରୀ ଏବେ ନାଗପୁରରେ ଅଛନ୍ତି। ଏହି ସମୟରେ ନିତିନ ଗଡ଼କରୀଙ୍କ ସହ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦିଆଯିବାର ଧମକ ଦିଆଯାଇଛି। ପୁଲିସ ଏବେ କଲ୍ କରିଥିବା ଅଭିଯୁକ୍ତଙ୍କ ଲୋକେସନ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି। ଲୋକେସନ ମିଳିବା ପରେ ଯିଏ ଦୋଷୀ ତାକୁ ତୁରନ୍ତ ଗିରଫ କରାଯିବ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ।