ନୂଆଦିଲ୍ଲୀ: ଆଜି GST ପରିଷଦ ବୈଠକ । ଗିରଫ କ୍ଷମତା ଠାରୁ ଆରମ୍ଭ କରି ମାମଲା ଆରମ୍ଭ ପାଇଁ ଧାର୍ଯ୍ୟ ସୀମାରେ ଆସିପାରେ ବଡ଼ ସଂସ୍କାର । ଆଜି GST ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।
GST ପ୍ରକ୍ରିୟାକୁ ସହଜ କରିବା ସହ ଟିକସଦାତାଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରେ କେତେକ ବଡ଼ ପରିବର୍ତ୍ତନ ପ୍ରସ୍ତାବ ଉପରେ ଆଜିର ବୈଠକରେ ବିଚାର ହୋଇପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି GST ଅଧିକାରୀଙ୍କ ଗିରଫ କ୍ଷମତାରେ ପରିବର୍ତ୍ତନ। ପ୍ରସ୍ତାବ ଅନୁସାରେ, GST ଅଧିକାରୀ ନିଜେ ସିଧାସଳଖ ଟିକସଦାତାଙ୍କୁ ଗିରଫ କରିବାର କ୍ଷମତା ହରାଇପାରନ୍ତି । କୌଣସି ଗିରଫ ପାଇଁ ନ୍ୟାୟିକ ଅନୁମତିକୁ ବାଧ୍ୟତାମୂଳକ କରିବା ପ୍ରସ୍ତାବ ରହିଛି । ଏହାସହ GST ମାମଲାରେ ଅପରାଧିକ ମାମଲା ଆରମ୍ଭ ପାଇଁ ଥିବା ଆର୍ଥିକ ସୀମାକୁ ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରିବା ଉପରେ ମଧ୍ୟ ଆଜି ଆଲୋଚନା ହୋଇପାରେ । କେଉଁ ପ୍ରକାରର GST ଉଲ୍ଲଂଘନରେ ଅପରାଧିକ ମାମଲା ହୋଇପାରିବ, ତାହାର ପରିସରକୁ ମଧ୍ୟ କମାଇବା ପ୍ରସ୍ତାବ ରହିଛି । ସଚ୍ଚୋଟ ଭାବେ କାରବାର କରୁଥିବା କ୍ରେତାଙ୍କ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ କୁ ସୁରକ୍ଷା ଦେବା ନେଇ ମଧ୍ୟ ବିଚାର ହୋଇପାରେ । ବିକ୍ରେତାଙ୍କ ତ୍ରୁଟି ପାଇଁ ନିୟମ ମାନିଥିବା କ୍ରେତା ଯେପରି ଅଯଥା କ୍ଷତିଗ୍ରସ୍ତ ନହୁଅନ୍ତି, ସେଥିପାଇଁ ନିୟମରେ ପରିବର୍ତ୍ତନ ପ୍ରସ୍ତାବ ରହିଛି ।
ସେହିପରି ଛୋଟ ଅନଲାଇନ୍ ବିକ୍ରେତାଙ୍କ ପାଇଁ GST ପଞ୍ଜୀକରଣ ପ୍ରକ୍ରିୟା ସହଜ କରିବା ଏବଂ କମ୍ ଟଙ୍କାର ଟିକସ ବିବାଦ ଓ ମାମଲା ସଂଖ୍ୟା କମାଇବା ଉପରେ ମଧ୍ୟ ପରିଷଦ ବିଚାର କରିପାରେ । ତେବେ ଏହିସବୁ ଏବେ ପ୍ରସ୍ତାବ ସ୍ତରରେ ରହିଛି । ଆଜିର GST ପରିଷଦ ବୈଠକରେ କେଉଁ ପ୍ରସ୍ତାବକୁ ମଞ୍ଜୁରି ମିଳୁଛି, ଯାହା ଉପରେ ଟିକସଦାତା ଓ ବ୍ୟବସାୟୀଙ୍କ ନଜର ରହିବ ।