ଫେବୃଆରୀ ୧ରୁ ଆରମ୍ଭ ହେବ ତୋଷାଳି ମେଳା
ଭୁବନେଶ୍ୱର (ଆମ ଟିଭି): ପୁଣି ଦୁଲୁକିବ ଜନତା ମଇଦାନ । ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ବିଶାଳ ମହୋତ୍ସବ ୧୭ତମ ତୋଷାଳି ମେଳା ଆସନ୍ତା ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଯାଉଛି । ସବୁଥର ପରି ଏଥର ମଧ୍ୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ଏହି ଜାତୀୟ ହସ୍ତଶିଳ୍ପ ମେଳା । ଏଥର କରୋନା କଟକଣା ନଥିବାରୁ ମେଳାକୁ ବଡ଼ ଆକାରରେ ଆୟୋଜନ କରାଯାଇଛି । ଯାହା ଫେବ୍ରୁଆରୀ ୧ରୁ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରତ୍ୟହ ଅପରାହ୍ଣ ସାଢେ଼ ୨ଟାରୁ ରାତି ସାଢେ଼ ୯ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମେଳା ଖୋଲା ରହିବ ।
ସିଡାକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୪୦୦ରୁ ଅଧିକ ହସ୍ତଶିଳ୍ପ ଷ୍ଟଲ୍ ଖୋଲିବ । ଯେଉଁଠି ଓଡ଼ିଶା ଏବଂ ଓଡ଼ିଶା ବାହାରର ପାରମ୍ପରିକ କଳା, କାରିଗରୀର ଚମକ ଦେଖିବାକୁ ମିଳିବ । ସେହିପରି ୨୫୦ରୁ ଅଧିକ ହସ୍ତତନ୍ତ ଷ୍ଟଲରେ ବୁଣାକାରମାନଙ୍କ ଯାଦୁକରୀ ହାତର ସ୍ପର୍ଶରେ ପ୍ରସ୍ତୁତ ସାରା ଦେଶର ବିଭିନ୍ନ ବୟନ କଳା ପ୍ରଦର୍ଶିତ ଓ ବିକ୍ରି ହେବ । ଏଥିସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଉନ୍ନତ ଓ ଗୁଣାତ୍ମକ ଖାଦ୍ୟ ପରଷିବାକୁ ୨୦ରୁ ଅଧିକ ଖାଦ୍ୟ ଷ୍ଟଲ ଖୋଲାଯିବ । ଯାହାର ମଜା ଦର୍ଶକ ନେଇପାରିବେ ।