ଫିଲ୍ମ ଡକ୍ୟୁମେଣ୍ଟାରୀକୁ ନେଇ ଜେଏନୟୁ ଉତ୍ତେଜନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତରଫରୁ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ନେଇ ଜେଏନ୍ୟୁ କ୍ୟାମ୍ପସ୍ରେ ଘଟିଛି ତୁମୁଳ କାଣ୍ଡ । କଲେଜ ପ୍ରଶାସନର ବାରଣ ସତ୍ତ୍ୱେ ଛାତ୍ର ସଂଘ ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରାଯିବାକୁ ନେଇ କ୍ୟାମ୍ପସ୍ ପରିସରରେ ଘଟିଯାଇଛି ମହାଭାରତ । ଏପରିକି ଏଥିଯୋଗୁ ଛାତ୍ର ସଂଘ ଓ ଏବିଭିବି ମୁହାଁମୁହିଁ ହୋଇଛନ୍ତି। କଲେଜ ଚତୁଃର୍ଦିଗରେ ପୁଲିସ୍ ପଇଁତରା ମାରୁଥିବା ବେଳେ ଭିତରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ଜଣାଯାଇଛି।
ବିବିସି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମତ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଆରମ୍ଭ ହୋଇ ସାରିଛି। ଏପରିକି ଏହାର ଲିଙ୍କ୍ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ଓ ୟୁଟୁବୁକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ଜେଏନ୍ୟୁ କ୍ୟାମ୍ପସ୍ରେ ଏହାର ସ୍କ୍ରିନିଂ ପାଇଁ ଛାତ୍ର ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ କଲେଜ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନ ଥିଲା। ଏପରିକି ସ୍କ୍ରିନିଂ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଚେତାବନୀ ଦିଆଯାଇଥିଲା।