ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦ ଖାଲିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

0
ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ଖାଲି ପଡ଼ିଥିବାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଉଦ୍‌ବେଗ ପ୍ରକାଶ କରିଛନ୍ତି । ଏନେଇ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଚିଠି ଲେଖି ବିଚାରପତି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ।
 
ସାଂସଦଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଟି ଅନୁମୋଦିତ ବିଚାରପତି ପଦବୀ ଥିବାବେଳେ ମାତ୍ର ୧୩ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଫଳରେ ୨୦ଟି ପଦବୀ ଖାଲି ପଡ଼ିଛି, ଯାହା ମୋଟ ଅନୁମୋଦିତ ପଦବୀର ୬୦.୬ ପ୍ରତିଶତ । ଏହି ଖାଲି ପଦବୀ ହାର ଜାତୀୟ ହାରାହାରି ୨୬ ପ୍ରତିଶତ ତୁଳନାରେ ଯଥେଷ୍ଟ ଅଧିକ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାଦ୍ୱାରା ହାଇକୋର୍ଟରେ ମାମଲା ପରିଚାଳନା ଓ ବିଚାର ପ୍ରକ୍ରିୟା ଉପରେ ଚାପ ବଢ଼ୁଥିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।
 
ହାଇକୋର୍ଟରେ ମାମଲା ଜମା ହୋଇ ରହିବା ସ୍ଥିତି ମଧ୍ୟ ଚିନ୍ତାଜନକ ବୋଲି ସସ୍ମିତ ପାତ୍ର ଦର୍ଶାଇଛନ୍ତି। ୨୦୨୬ ଅଗଷ୍ଟ ୭ ତାରିଖରେ ଲୋକସଭାରେ ତାରକା ଚିହ୍ନବିହୀନ ପ୍ରଶ୍ନ ନମ୍ବର ୩୩୭୧ର ଉତ୍ତରରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ମୋଟ ୧,୭୦,୩୪୬ଟି ମାମଲା ବିଚାରାଧୀନ ରହିଛି ।
 
ସେଥିମଧ୍ୟରୁ ୩୮,୯୩୬ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ବିଚାର ଅପେକ୍ଷାରେ ରହିଛି । ଦୀର୍ଘଦିନ ଧରି ମାମଲା ପଡ଼ି ରହିବା ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ସେ ଉଲ୍ଲେଖ କରିଛନ୍ତି । ତେଣୁ ଓଡ଼ିଶା ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଗ୍ରାଧିକାର ଦେବାକୁ ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Leave A Reply

Your email address will not be published.