କେନ୍ଦ୍ର ସରକାରଙ୍କୁ ନୋଟିସ ଦେଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗାଉପରେ ଆଧାରିତ ବିବାଦୀୟ ‘ବିବିସି’ ବୃତ୍ତଚିତ୍ର ‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚନ୍’ର ‘ଲିଙ୍କ୍’ ପ୍ରସାରଣ କରୁଥିବା ଟୁଇଟ୍ଗୁଡ଼ିକୁ ହଟାଇବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତ ମୂଳ ରେକର୍ଡ ଦାଖଲ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଏମ୍.ଏମ୍. ସୁନ୍ଦରେଶଙ୍କ ଖଣ୍ଡପୀଠ ୩ ସପ୍ତାହ ସମୟ ଦେବା ସହିତ ଏପ୍ରିଲ୍ ମାସରେ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।
ଆଜି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଏହି ମାମଲାରେ ଦାଏର ହୋଇଥିବା ୨ଟି ପିଟିସନ୍ର ଶୁଣାଣି କରୁଥିଲେ। ସେଥିରୁ ଗୋଟିଏ ପିଟିସନ୍ ମିଳିତ ଭାବେ ସାଂସଦ ମହୁଆ ମୈତ୍ର, ସାମ୍ବାଦିକ ଏନ୍. ରାମ ଏବଂ ଆଡ୍ଭୋକେଟ୍ ପ୍ରଶାନ୍ତ ଭୂଷଣ ଦାଏର କରିଥିବା ବେଳେ ଦ୍ବିତୀୟ ପିଟିସନ୍ଟି ଦାଏର କରିଥିଲେ ଆଡ୍ଭୋକେଟ୍ ଏମ୍. ଏଲ୍. ଶର୍ମା।
ସ୍ମରଣଯୋଗ୍ୟ, ଉକ୍ତ ବିବାଦୀୟ ବୃତ୍ତଚିତ୍ରର ଲିଙ୍କ୍ ସେୟାର୍ କରୁଥିବା ଏକାଧିକ ‘ୟୁଟ୍ୟୁବ୍ ଭିଡିଓ’ ଓ ‘ଟ୍ବିଟର୍ ପୋଷ୍ଟ୍’ଗୁଡ଼ିକୁ ବ୍ଲକ୍ କରିବା ଲାଗି ଜାନୁଆରି ୨୧ ତାରିଖ ଦିନ କେନ୍ଦ୍ର ସରକାର ନିର୍ଦେଶନାମା ଜାରି କରିଥିଲେ।
କିନ୍ତୁ, ଏହି ବୃତ୍ତଚିତ୍ର ପ୍ରସାରଣ କରି ଦଣ୍ଡିତ ହେଉଥିବା ଶିକ୍ଷାର୍ଥୀମାନଙ୍କ ମାମଲାରେ ପ୍ରବେଶ କରିବା ଲାଗି ଅଦାଲତ ମନା କରିଦେଇଛନ୍ତି। ଏଥିପାଇଁ ଆଇନଗତ ତର୍ଜମା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି।