କାହିଁକି ଏମିତି କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ
ଲଣ୍ଡନ୍: ପ୍ରଧାନମନ୍ତ୍ରୀ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବି ବୋଲି ଜାଣି ସୁଦ୍ଧା ଦେଶକୁ ସାହାଯ୍ୟ କରିବା ମୋର ‘ଧର୍ମ’ ବୋଲି ମନକୁ ଆସିବାରୁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେଲି ବୋଲି ଋଷି ସୁନକ୍ ଟେଲିଭିଜନ୍ ଉପସ୍ଥାପକ ପିୟର୍ସ ମୋର୍ଗାନ୍ଙ୍କୁ କହିଛନ୍ତି।
ବ୍ରିଟେନ୍ର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଭାବେ ୧୦୦ ଦିନ ପୂର୍ତ୍ତି ଅବସରରେ ଟେଲିଭିଜନ୍ରେ ପ୍ରସାରିତ ଏକ ସାକ୍ଷାତ୍କାର ସମୟରେ ଋଷି ସୁନକ ହିନ୍ଦୁ ଧର୍ମଧାରା ଅନୁଯାୟୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ଗତବର୍ଷ ଇଂଲଣ୍ଡରେ କ୍ରମାଗତ କେତେଗୁଡ଼ିଏ ରାଜନୈତିକ କେଳେଙ୍କାରୀ ଘଟିବା ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାର ଉଦ୍ଦେଶ୍ୟ ବିଷୟରେ କହିବା ବେଳେ ୪୨ ବର୍ଷିୟ ସୁନକ କହିଛନ୍ତି, ଏହା ଥିଲା ମୋର କର୍ତ୍ତବ୍ୟ। ହିନ୍ଦୁବାଦରେ ‘ଧର୍ମ’ ବୋଲି କୁହାଯାଉଥିବା ଗୋଟାଏ ବିଶ୍ବାସ ଅଛି, ଯାହାର ସାଧାରଣ ଅର୍ଥ ହେଉଛି ‘କର୍ତ୍ତବ୍ୟ’। ତାହାକୁ ପାଥେୟ କରି ମୁଁ ମଣିଷ ହୋଇଛି। ତାହା ହେଉଛି ଜଣକଠାରୁ ପ୍ରତ୍ୟାଶା କରାଯାଉଥିବା କାମ କରିବା। ତାହା ପୁଣି ଉଚିତ କାର୍ଯ୍ୟ ହୋଇଥିବା ଆବଶ୍ୟକ।