ଦେଶ ପରେ ଦେଶ ଘୁରି ବୁଲୁଛି ଚୀନ ବେଲୁନ
ଓ୍ବାସିଂଟନ : ଚୀନର ବିଶାଳ ଗୁପ୍ତଚର ବେଲୁନକୁ ନେଇ ଚର୍ଚ୍ଚା ଜାରି ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଚୀନର ବେଲୁନ ଦେଖାଯିବା ପରେ ଏବେ ଲାଟିନ ଆମେରିକା( ଦକ୍ଷିଣ ଆମେରିକା)ରେ ବି ଏପରି ଏକ ବେଲୁନ ଦେଖାଯାଇଛି ବୋଲି ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ କହିଛି ।
ପେଣ୍ଟାଗନ୍ ମୁଖପାତ୍ର ପ୍ୟାଟ୍ ରାଇଡର୍ ବେଲୁନ୍ ର ସଠିକ୍ ଅବସ୍ଥାନ ପ୍ରକାଶ ନକରି ଏକ ବିବୃତ୍ତିରେ କହିଛନ୍ତି, “ଆମେ ଲାଟିନ୍ ଆମେରିକା ଦେଇ ଯାଉଥିବା ଏକ ବେଲୁନ୍ ର ରିପୋର୍ଟ ଦେଖୁଛୁ। ଯାଞ୍ଚପରେ ଜଣାପଡ଼ିଲା ଯେ ଏହା ଚୀନର ଆଉ ଏକ ଗୁପ୍ତଚର ବେଲୁନ ।
ଆମେରିକାର ଅଧିକାରୀମାନେ ଗତ ଗୁରୁବାର ଦିନ କହିଥିଲେ ଯେ ଗତ କିଛି ଦିନ ଧରି ଆମେରିକା ଉପରେ ଏକ ଚାଇନାର ଗୁପ୍ତଚର ବେଲୁନ୍ ଉଡୁଛି । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ବେଜିଂ ଗସ୍ତର କିଛି ଦିନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ବିବାଦ ଦେଖାଦେଇଥିଲା । ଏହା ପରେ ଚୀନର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୟାନ ଜାରି କରି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲା । ତେବେ ତାହା ଏକ ଗୁପ୍ତଚର ବେଲୁନ ନୁହେଁ, ବରଂ ପାଣିପାଗ ଓ ପରିବେଶ ଉପରେ ଗବେଷଣା କରୁଥିବା ଏକ ବେଲୁନ ବୋଲି ଚୀନ କହିଥିଲା । ଏହା ସତ୍ତ୍ବେ ଏହି ବେଲୁନକୁ ନେଇ ବିବାଦ ଥମି ନାହିଁ ।