ଉନ୍ମୋଚିତ ହେଲା ସ୍ୱନମାଧନ୍ୟା ଗାୟିକା ସୁସ୍ମିତା ଦାସଙ୍କ ଆଦିବାସୀ ଫ୍ୟୁଜନ୍ ମ୍ୟୁଜିକ୍ ଭିଡିଓ ଆଲବମ୍‌

0

ଭୁବନେଶ୍ୱର: KIIT ଅଡିଟୋରିୟମରେ ଉନ୍ମୋଚିତ ହେଲା ଓଡ଼ିଶାର ପ୍ରଥମ ଆଦିବାସୀ ଫ୍ୟୁଜନ୍ ମ୍ୟୁଜିକ୍ ଭିଡିଓ ଆଲବମ୍ । ଏହି ଆଲବମରେ ଗାୟିକା ସୁସ୍ମିତା ଦାସଙ୍କ ସ୍ୱରରେ ଓଡ଼ିଶାର ବିଭିନ୍ନ ଜନଜାତିକୁ ପ୍ରତିନିଧିତ୍ୱ କରୁଥିବା ୮ଟି ଗୀତ ରହିଚି । KIIT ତଥା KISS ଗ୍ରୁପ୍‌ର ଅଧ୍ୟକ୍ଷ ଶାଶ୍ୱତୀ ବଳ ଏହି ମ୍ୟୁଜିକ୍‌ ଆଲ୍‌ବମ୍‌ଟିର ଉନ୍ମୋଚନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. ଅରବିନ୍ଦ ପାଢୀ ଏବଂ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ମାନ୍ୟବର ସାଂସଦ ଡ. ଅଚ୍ୟୁତ ସାମନ୍ତ ।

୫ ଫେବୃଆରୀ ୨୦୨୩ ଦିନ ଉନ୍ମୋଚିତ କାର୍ଯ୍ୟକ୍ରମ ଏକ ବିରାଟ ଆୟାଜନ ଥିଲା । ଉପସ୍ଥାପିକା ତଥା ତାଙ୍କ ସହଯୋଗୀମାନେ, ଏହି ଗୀତଗୁଚ୍ଛରେ ଓଡ଼ିଶାର ୮ଟି ଆଦିବାସୀ ସମ୍ପ୍ରଦାୟ, ଯେମିତି କି ଭୂମିଜ, କନ୍ଧ, ସାନ୍ଥାଳ, ଦୂରୁଆ, ହୋ, ଗଦବା, ବଥୁଡ଼ି ଏବଂ ଖଡ଼ିଆର ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଅଭ୍ୟାସ ସହିତ ସ୍ୱର ମାଧ୍ୟମରେ ପରୀକ୍ଷା ନିରୀକ୍ଷା କରିବାର ଚେଷ୍ଟା କରିଚନ୍ତି ।

ଏଥିରେ ସ୍ଥାନ ପାଇଥିବା ପ୍ରତ୍ୟେକଟି ସ୍ୱର ସଂଯୋଜନା ଉପୋରକ୍ତ ଜନଜାତିମାନଙ୍କର ନିର୍ଦ୍ଧିଷ୍ଟ ଉତ୍ସବ ଆଦିର ସଂଗୀତ ଦ୍ୱାରା ଅନୁପ୍ରାଣିତ ହୋଇଚି । ଓଡ଼ିଆଭାଷା ମାଧ୍ୟମରେ ଏହି ସବୁ ବିଷୟବସ୍ତୁକୁ ଅଭିଯୋଜନ କରିବାର ଚେଷ୍ଟା କରାଯାଇଚି ।

ପ୍ରତ୍ୟେକ ଗୀତର ସାରମର୍ମକୁ ସଠିକ ଭାବେ ବୁଝିବାର ଦୁରୁହ ପ୍ରଚେଷ୍ଟାରେ ଗୁରୁଜୀ ଶ୍ୱେତ ଚନ୍ଦନ ଓ ସଞ୍ଜୟ କାନୁନ୍‌ଗୋ, ଅନେକ ଆଦିବାସୀ ଗ୍ରାମ ପରିଦର୍ଶନ କରିଥିଲେ । ଉକ୍ତ ଥିମ୍‌କୁ ଆଧାରକରି ସଚ୍ଚି ମହାନ୍ତି ଓ ସଂଗ୍ରାମ ମହାନ୍ତି ଏହି ୮ଟି ଗୀତକୁ ନିଜ ଶବ୍ଦର ରୂପ ଦେଇଥିବା ବେଳେ, ସ୍ୱର୍ଗତ ସରୋଜ ପଟ୍ଟନାୟକ, ବିଭୂତି ଭୂଷଣ ଗଡ଼ନାୟକ, ଅଭିଜିତ୍ ମିଶ୍ର ଏବଂ ବିଶ୍ୱଜିତ୍ ମହାପାତ୍ର ସେମାନଙ୍କ ସ୍ୱର ସଂଯୋଜନା ମାଧ୍ୟମରେ ଏହି ସବୁ ଲୋକକଳାକୁ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କିସ୍‌ରେ ପାଠପଢୁଥିବା ତିନୋଟି ଆଦିବାସୀ ସମ୍ପ୍ରଦାୟର ପିଲାମାନେ ୩ଟି ଗୀତରେ ମଞ୍ଚରେ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ ।

ଏହି ଗୀତଗୁଡ଼ିକରେ ଓଡିଶାର ଆଦିବାସୀ ଜୀବନର ଦର୍ଶନ ଏବଂ ଅଭ୍ୟାସ ଗୁଡ଼ିକର ସରଳତାକୁ ଦର୍ଶାଯାଇଥିବା କଥା ସଞ୍ଜୟ କାନୁନଗୋ କହିଛନ୍ତି । ଯଦିଓ ଏହି ୮ଟି ଗୀତ କୌଣସି ବି ସମ୍ପ୍ରଦାୟର ମୂଳ ଗୀତର ସମ୍ପୁର୍ଣ୍ଣ ଅନୁବାଦ ନୁହେଁ, ଏମାନେ କେବଳ ସେମାନଙ୍କର ଆଭିମୁଖ୍ୟକୁ ପ୍ରତିଫଳିତ କରିବାର ଏକ ନିଷ୍ଠାପର ପ୍ରୟାସ ।

ସେମାନଙ୍କ ଗୀତ ଏବଂ ନୃତ୍ୟର ପୃଷ୍ଠଭୂମି ବୁଝିବା ପାଇଁ ଅନେକ ଗ୍ରାମକୁ ଯିବାକୁ ପଡ଼ିଚି । ଓଡ଼ିଶାର ଆଦିବାସୀ ଗୀତର ଦୃଶ୍ୟକଳ୍ପ ଲୋକଙ୍କ ସ୍ୱାଦ ଏବଂ ଆଚରଣରେ ପରିବର୍ତ୍ତନ ଆଣୁଚି । ଧୀରେ ଧୀରେ ହଜିଯିବାକୁ ବସିଥିବା କିଛି ଆଦିବାସୀ ଗୀତକୁ ଖୋଜି ସେସବୁକୁ ବିଶେଷ କରି ସଙ୍ଗୀତରେ ରୁଚି ରଖିଥିବା ଆଜିର ପିଢି ପାଇଁ ପ୍ରସ୍ତୁତ କରିବାର ଇଏ ଏକ ଛୋଟ ପ୍ରୟାସ । ତେବେ ସବୁ ଗୀତରେ ଆମେ ସେଇ ଆଦିବାସୀ ଜୀବନର ସହଜ ସରଳ ଭାବଧାରା ଆଉ ମାଟିର ମହକକୁ ବଜାୟ ରଖିବାର ଚେଷ୍ଟା କରିଛୁ ।

ସୁସ୍ମିତା ଦାସ କହିଛନ୍ତି, ଟିଭି, ମୋବାଇଲ୍ ଫୋନ୍ ଏବଂ ମନୋରଞ୍ଜନର ଅନ୍ୟାନ୍ୟ ଆଧୁନିକ ମାଧ୍ୟମ ସହିତ ବହୁ ପୁରୁଣା ଗୀତ, ନୃତ୍ୟ ଏବଂ କଳା କ୍ରମାଗତ ଭାବରେ ମରିଯାଉଛି । ସେଗୁଡିକ ବିଲୁପ୍ତ ହେବା ପୂର୍ବରୁ ସେମାନଙ୍କୁ ସଂରକ୍ଷଣ କରିବା ଆମର ନୈତିକ ଦାୟିତ୍ୱ । ଆଦିବାସୀ ଗୀତ  ଆମ ବ୍ୟକ୍ତିସତ୍ତା ଓ ପରିଚୟର ଅଂଶ । ୟାକୁ ମନେ ରଖିବା ଓ ବଂଚେଇ ରଖିବା ଆବଶ୍ୟକ । ଆମେ ଦାବି କରୁନାହୁଁ ଯେ ଏହା ପ୍ରାମାଣିକ ଆଦିବାସୀ ଗୀତ, କୌଣସି ଟି ଗୀତ ଆଦିବାସୀଙ୍କ ମୂଳ ସଙ୍ଗୀତର ନିଛକ ଅନୁବାଦ ନୁହେଁ, କିନ୍ତୁ ସେମାନଙ୍କ ଜୀବନଧାରା ତଥା ଭାବଧାରାର ପ୍ରତିବିମ୍ବ ବା reflection ନିଶ୍ଚୟ । ଏଗୁଡ଼ିକ ହେଉଛି ଓଡିଆ ଗୀତ ଯାହା ଆଦିବାସୀ ସମ୍ପ୍ରଦାୟର ଉତ୍ସାହକୁ ପ୍ରତିଫଳିତ କରିବାର ଚେଷ୍ଟା କରିଛି ।

ମୁଁ ବିଶେଷ ଭାବରେ ଆମର କିମ୍ବଦନ୍ତୀ ସଂଗୀତକାର ସ୍ୱର୍ଗତ ସରୋଜ ପଟ୍ଟନାୟକଙ୍କ ବିଷୟରେ ଉଲ୍ଲେଖ କରିବାକୁ ଚାହେଁ । ଏହି ଗୀତଟି ତାଙ୍କର ଶେଷ ରଚନା ଏବଂ ସେ ମୋତେ ଶଯ୍ୟାଶାୟୀ ଥିବାବେଳେ ଟେଲିଫୋନ୍ ମାଧ୍ୟମରେ ଏହି ଗୀତଟି ଶିଖାଇଥିଲେ ।

ଓଡିଶାର ପ୍ରଥମ ଆଦିବାସୀ ଫ୍ୟୁଜନ୍ ମ୍ୟୁଜିକ୍ ଭିଡିଓ ଆଲବମର ଉନ୍ମୋଚନ ହେଉଛି ରାଜ୍ୟର ସମୃଦ୍ଧ ଲୋକ ସଂଗୀତ ଐତିହ୍ୟ ଏବଂ ସାଂସ୍କୃତିକ ପରମ୍ପରାର ଏକ ଉତ୍ସବ ।  ଏହା ଓଡିଶାର ପ୍ରାଣବନ୍ତ ତଥା ଜୀବନ୍ତ ସଂଗୀତର ପରିଚାୟକ । ଏହା ରାଜ୍ୟବାସୀଙ୍କ ପରିଚୟ ସ୍ୱତନ୍ତ୍ରତାର ମୂଳାଧାରକୁ ସଶକ୍ତ କରିବ ।

*

Leave A Reply

Your email address will not be published.