ନଭେମ୍ବର ୨୨ରେ ଜୀ ସାର୍ଥକରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’
ରଥଯାତ୍ରା ଅବସରରେ ଗତ ଜୁଲାଇ ୧୬ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକଙ୍କ ମନ ଜିଣିଥିବା ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’ ଏବେ ଟେଲିଭିଜନ ପରଦାରେ ଧମାଲ ମଚାଇବାକୁ ଯାଉଛି । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ରେ ଏହି ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ।
‘ଇନଫାଇସନ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ଜେଆରଏମ୍ଙ୍କ ପ୍ରଯୋଜିତ ତଥା ରାଜେନ୍ଦ୍ର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଓଡ଼ିଆ ସିନେଜଗତର ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି । ଏଥିରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ ଏବଂ ଶ୍ରୀତମ ଦାସଙ୍କ ସମେତ ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା ଓ ରାଜ ରାଜେଶ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।
ଇତିହାସ, ପ୍ରେମ, ସ୍ୱାସ୍ଥ୍ୟ ସଚେତନତା ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ଅନନ୍ୟ ସମନ୍ୱୟ ହେଉଛି ‘ଦି ମିଲେଟ୍ ଡାଏରୀ’ । କଳିଙ୍ଗର ପ୍ରାଚୀନ ଐତିହ୍ୟରୁ ପ୍ରେରଣା ନେଇ ନିର୍ମିତ ଏହି କାହାଣୀରେ ଆମ ପରମ୍ପରାଗତ ଖାଦ୍ୟ ‘ମିଲେଟ୍’ ବା ମାଣ୍ଡିଆର ବିସ୍ମୃତ ପୁଷ୍ଟିକର ଓ ଔଷଧୀୟ ଗୁଣକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇଛି । ଓଡ଼ିଶାର ଆଦିବାସୀ ଏବଂ ଗ୍ରାମୀଣ ଜୀବନଧାରାକୁ ପୃଷ୍ଠଭୂମି କରି ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ, ସରକାରୀ ବିକାଶମୂଳକ ଯୋଜନାର ସହାୟତାରେ ମିଲେଟ୍ ଚାଷ କିଭଳି ଆଦିବାସୀ ପରିବାରଗୁଡ଼ିକୁ ଆର୍ଥିକ ସ୍ୱଚ୍ଛଳତା ଓ ଆତ୍ମନିର୍ଭରଶୀଳତା ଆଡ଼କୁ ବାଟ କଢ଼ାଇ ନେଇପାରିବ ।
କେବଳ ଏକ ସାମାଜିକ ବାର୍ତ୍ତା ନୁହେଁ, ବରଂ ପ୍ରେମ, ସମ୍ପର୍କ, ପରମ୍ପରା ଏବଂ ବ୍ୟକ୍ତିଗତ ପରିବର୍ତ୍ତନର ଏକ ହୃଦୟସ୍ପର୍ଶୀ କାହାଣୀ ଏଥିରେ ବୁଣାଯାଇଛି । ଆମର ପାରମ୍ପରିକ ଖାଦ୍ୟାଭ୍ୟାସକୁ ପୁନର୍ଜୀବିତ କରିବା ସହ ଦୈନନ୍ଦିନ ଖାଦ୍ୟ ତାଲିକାରେ ପୁଷ୍ଟିକର ମିଲେଟ୍କୁ ସାମିଲ କରିବାର ଗୁରୁତ୍ୱକୁ ଏଥିରେ ଦର୍ଶାଯାଇଛି । ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟକୁ ବର୍ତ୍ତମାନ ସମୟର ଜନସ୍ୱାସ୍ଥ୍ୟ, ସ୍ଥାୟୀ କୃଷି ଏବଂ ଗ୍ରାମୀଣ ବିକାଶ ସହ ଯୋଡ଼ିବାରେ ଚଳଚ୍ଚିତ୍ରଟି ସଫଳ ହୋଇଛି । ମିଲେଟ୍ କେବଳ ଏକ ପାରମ୍ପରିକ ଶସ୍ୟ ନୁହେଁ, ବରଂ ଏହା ସୁସ୍ଥ ସମାଜ ଗଠନ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ ବୋଲି ଏହି ସିନେମାରେ ପ୍ରତିପାଦିତ ହୋଇଛି ।
ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରଶାନ୍ତ ପରିଡ଼ା କହିଛନ୍ତି, ଜୀ ସାର୍ଥକ ସର୍ବଦା ଓଡ଼ିଶାର ମାଟି, ପାଣି ଓ ପରମ୍ପରା ସହ ଜଡ଼ିତ ଉଚ୍ଚକୋଟୀର ମନୋରଞ୍ଜନ ଭେଟି ଦେବାକୁ ପ୍ରୟାସ କରିଆସିଛି । ‘ଦି ମିଲେଟ୍ ଡାଏରୀ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଆମ ଓଡ଼ିଶାର ଗୌରବମୟ କୃଷି ପରମ୍ପରା, ସୁସ୍ଥ ଜୀବନଶୈଳୀ ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ପ୍ରେରଣାଦାୟୀ କାହାଣୀ । ପ୍ରେକ୍ଷାଳୟରେ ଦର୍ଶକଙ୍କ ଅକୁଣ୍ଠ ଭଲପାଇବା ସାଉଁଟିବା ପରେ ଏବେ ଏହାକୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପହଞ୍ଚାଇବାକୁ ଯାଉଥିବାରୁ ଆମେ ବେଶ୍ ଆନନ୍ଦିତ । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଆପଣମାନେ ସପରିବାର ବସି ଜୀ ସାର୍ଥକରେ ଏହି ସୁନ୍ଦର ଚଳଚ୍ଚିତ୍ରଟିକୁ ନିଶ୍ଚୟ ଦେଖନ୍ତୁ ବୋଲି ମୋର ବିନମ୍ର ଅନୁରୋଧ ।