ପୁଣି ଇତିହାସ ରଚିଲେ ବିରାଟ କୋହଲି

0

ନୂଆଦିଲ୍ଲୀ :ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଶେଷ ତଥା ଚତୁର୍ଥ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୭୫ଟି ଶତକ ପୂରଣ କରିଛନ୍ତି। ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-ଟ୍ୱେଣ୍ଟିର ଗୋଟିଏ ଶତକ ରହିଛି।

ବିରାଟ ଏବେ ବି କ୍ରିଜ୍‌ରେ ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଭାରତ ତା’ର ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ହରାଇ ୪୧୬ ରନ୍ ସଂଗ୍ରହ କରିଛି।

ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ଟି ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଏହି ଦୁଇ ଜଣ ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଜେଡ଼େଜା ଶୀଘ୍ର ଆଉଟ୍ ହୋଇଯାଇଥିଲେ। ସେ ଆଜି ଆଉ ମାତ୍ର ୧୨ ରନ୍ କରିଥିଲେ। ୮୪ଟି ବଲ୍‌ରୁ ୨୮ ରନ୍ କରି ସେ ଟଡ୍ ମର୍ଫୀଙ୍କ ବଲ୍‌ରେ ଉସ୍‌ମାନ୍ ଖ୍ୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଜାଡ଼େଜା ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିଲେ ଶ୍ରୀକର ଭରତ। ବିରାଟ କୋହଲି ଓ ଭରତଙ୍କ ମଧ୍ୟରେ ଏକ ଭଲ ପାର୍ଟନରଶିପ୍ ହୋଇଥିଲା। ସେମାନଙ୍କ ମଧ୍ୟରେ ୮୪ ରନ୍‌ର ଭାଗୀଦାରି ହୋଇଥିଲା। ୮୮ଟି ବଲ୍‌ରେ ୪୪ ରନ୍ କରି ନାଥନ ଲିୟନଙ୍କ ବଲ୍‌ରେ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଏବେ ବିରାଟ ଓ ଅକ୍ଷର ପଟେଲ ଯଥାକ୍ରମେ ୧୧୦ ଓ ୧୧ ରନ୍ କରି ଖେଳୁଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍‌ ହରାଇ ୪୮୦ ରନ୍ କରିଛି।

Leave A Reply

Your email address will not be published.