ଜର୍ମାନୀକୁ ନେଇ ଏମିତି କହିଲେ ପୁଟିନ
ମସ୍କୋ: ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଆତ୍ମସମର୍ପଣ କରିବାର କେତେ ଦଶନ୍ଧି ବିତି ଯାଇଥିଲେ ବି ଜର୍ମାନି ଏବେ ମଧ୍ୟ ଅଧିକୃତ ହୋଇ ରହିଛି ଏବଂ ସ୍ବାଧୀନ ଭାବେ କାର୍ଯ୍ୟ କରିପାରୁ ନାହିଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି। ଉତ୍ତର ସାଗର ‘ପାଇପ୍ଲାଇନ୍’ ବିସ୍ଫୋରଣ ଘଟଣାରେ ଜର୍ମାନିର ପ୍ରତିକ୍ରିୟାରୁ ଏ କଥା ଜଣାପଡୁଛି ବୋଲି ରୁଷୀୟ ଟେଲିଭିଜନ୍ ‘ରୋଷିୟା-୧’ ଚାନେଲ୍ ସହିତ କରିଥିବା ସାକ୍ଷାତ୍କାର ସମୟରେ ପୁଟିନ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭର୍ତ୍ସନା ଶୁଣି ଶୁଣି ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ୟୁରୋପୀୟ ନେତାମାନେ ସେମାନଙ୍କର ସାର୍ବଭୌମତ୍ବ ଓ ସ୍ବାଧୀନତା ଚେତନା ହରାଇ ବସିଛନ୍ତି।
ଗତବର୍ଷ ଘଟିଥିବା ବିସ୍ଫୋରଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ରୁଷ୍ର ‘ନର୍ଡ ଷ୍ଟ୍ରିମ୍ ଗ୍ୟାସ୍ ପାଇପ୍ଲାଇନ୍ସ୍’ ସଂକ୍ରାନ୍ତ ତଦନ୍ତ ମାମଲାରେ ଜର୍ମାନି ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ପ୍ରତିକ୍ରିୟା ବ୍ୟକ୍ତ କରିବାରେ ଖୁବ୍ ସତର୍କତା ଅବଲମ୍ବନ କରି କହିଲେ କି, ଜାଣିଶୁଣି ଏ କାଣ୍ଡ କରାଯାଇଛି। କିନ୍ତୁ, କିଏ ଏ କାଣ୍ଡ କରିଛି ତାହା କହିବାକୁ ସେମାନେ କୁଣ୍ଠାବୋଧ କଲେ ବୋଲି ପୁଟିନ୍ କହିଛନ୍ତି।