ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ ଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ତାଙ୍କ ଫେରିବା ନିମନ୍ତେ ସରକାରୀ ବିମାନର ବ୍ୟବସ୍ଥା କରିବାକୁ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି । ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ଭାରତରେ ରହୁଛନ୍ତି । ଡିସେମ୍ବର ୧୬ ତାରିଖ ବାଂଲାଦେଶର ବିଜୟ ଦିବସ ହୋଇଥିବାରୁ ସେଦିନ ଫେରିଯିବାକୁ ଧାର୍ଯ୍ୟ କରିଛନ୍ତି ।
ହସିନାଙ୍କ ମୁଖପାତ୍ର ସୈୟଦ ମୋଜାମ୍ମେଲ ଅଲୀ କହିଛନ୍ତି ଯେ, ଡିସେମ୍ବର ୧୬ରେ ବାଂଲାଦେଶ ଫେରିବାକୁ ହସିନା ଇଚ୍ଛା ପ୍ରକାଶ କରିଛନ୍ତି । ୨୦୨୪ ଅଗଷ୍ଟ ୫ରେ ସେ ବାଂଲାଦେଶର ସାମରିକ ବିମାନରେ ଭାରତ ଆସିଥିଲେ । ତେଣୁ ଏବେ ସେହିଭଳି ଦିଲ୍ଲୀରୁ ଢାକା ଫେରିବାର ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ ବୋଲି ତାଙ୍କ ମୁଖପାତ୍ର କହିଛନ୍ତି । ପ୍ରଥମ ଥର ପାଇଁ ହସିନା ନିଜ ଦେଶକୁ ଫେରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିଛନ୍ତି ।
ନିକଟରେ ହସିନା ଦିଲ୍ଲୀସ୍ଥିତ ବାଂଲାଦେଶ ଦୂତାବାସକୁ ନୂଆ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର (NID) ଜାରି କରିବାକୁ ଅନୁରୋଧ କରିଥିଲେ । ୨୦୨୪ ଅଗଷ୍ଟରେ ଦେଶ ଛାଡ଼ିବାର କିଛି ମାସ ପରେ ତାଙ୍କ ପୁରୁଣା ପାସପୋର୍ଟ ଓ ପରିଚୟପତ୍ରକୁ ରଦ୍ଦ କରାଯାଇଥିଲା । ଅନ୍ୟପଟେ ହସିନାଙ୍କ ଦଳ ଆୱାମୀ ଲିଗ୍ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।
ସୂଚନାଯୋଗ୍ୟ, ୨୦୨୫ ନଭେମ୍ବରରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ହସିନାଙ୍କ ଅନୁପସ୍ଥିତିରେ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ୨୦୨୪ ଜୁଲାଇରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଏହି ହିଂସାରେ ପ୍ରାୟ ୧,୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।