ଉମର ଖାଲିଦ ଓ ଶରଜିଲ୍ ଇମାମଙ୍କୁ ମିଳିଲାନି ଜାମିନ, ପଢ଼ନ୍ତୁ କ’ଣ କହିଲେ କୋର୍ଟ
୨୦୨୦ ମସିହାର ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ବୃହତ୍ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଉମର ଖାଲିଦ ଏବଂ ଶରଜୀଲ ଇମାମଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିନାହିଁ। ବୁଧବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉଭୟଙ୍କ ଅନ୍ତରୀଣ ଜାମିନ ଆବେଦନକୁ ବର୍ତ୍ତମାନ ପାଇଁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଏହାସହ ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଛନ୍ତି କୋର୍ଟ। ଅନ୍ତରୀଣ ଜାମିନ ଉପରେ ବିଚାର କରିବା ପୂର୍ବରୁ ଦିଲ୍ଲୀ ପୁଲିସର ପକ୍ଷ ଶୁଣାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ଜେଏନୟୁ ଗବେଷକ ଉମର ଖାଲିଦ ଏବଂ ଶରଜୀଲ ଇମାମଙ୍କ ଜାମିନ ଆବେଦନକୁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୬ ଜାନୁଆରୀ ୫ ତାରିଖରେ ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ଜଷ୍ଟିସ୍ ଏନ୍.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଉଭୟଙ୍କୁ ଜାମିନ ଦେବାକୁ ମନା କରିଥିଲେ। ଅଭିଯୋଗ ଅନୁଯାୟୀ, ଏହି ବୃହତ୍ ଷଡ଼ଯନ୍ତ୍ରରେ ଉଭୟଙ୍କୁ ପ୍ରମୁଖ ବୈଚାରିକ ସୂତ୍ରଧର ଭାବେ ଦର୍ଶାଯାଇଥିଲା।
ତେବେ ସମାନ ମାମଲାରେ ଗୁଲଫିଶା ଫାତିମାଙ୍କ ସମେତ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। କଥିତ ଷଡ଼ଯନ୍ତ୍ରରେ ସେମାନଙ୍କ ଭୂମିକା ଉମର ଖାଲିଦ ଓ ଶରଜୀଲ ଇମାମଙ୍କ ଭୂମିକାଠାରୁ ଭିନ୍ନ ବୋଲି କୋର୍ଟ ବିବେଚନା କରିଥିଲେ।
ଜାମିନ ଆବେଦନର ଶୀଘ୍ର ଶୁଣାଣି ପାଇଁ କପିଲ ସିବଲଙ୍କ ଅନୁରୋଧ
ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉମର ଖାଲିଦ ଓ ଶରଜୀଲ ଇମାମଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୀଘ୍ର ବିଚାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ତତ୍କାଳ କୌଣସି ଆଶ୍ୱସ୍ତି ପ୍ରଦାନ କରିନଥିଲେ। ଅଦାଲତ ନୂଆ ଜାମିନ ଆବେଦନଗୁଡ଼ିକ ଉପରେ ନୋଟିସ୍ ଜାରି କରିବା ସହ ତିନିଜଣିଆ ଖଣ୍ଡପୀଠ ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ୟୁଏପିଏ ମାମଲାରେ ବିଚାର ବିଳମ୍ବ ଜାମିନର ଆଧାର ହୋଇପାରିବ କି?
ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉଠିଥିଲା। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ବା ୟୁଏପିଏ (UAPA) ଅଧୀନରେ ଚାଲିଥିବା ମାମଲାର ବିଚାର ପ୍ରକ୍ରିୟାରେ ଦୀର୍ଘ ବିଳମ୍ବ ହେଲେ ତାହା ଜାମିନ ପ୍ରଦାନର ଆଧାର ହୋଇପାରିବ କି ନାହିଁ? ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଥମେ ତିନିଜଣିଆ ଖଣ୍ଡପୀଠ ଏହି ଆଇନଗତ ପ୍ରଶ୍ନର ସମାଧାନ କରିବେ। ଏହାପରେ ଉମର ଖାଲିଦ ଓ ଶରଜୀଲ ଇମାମଙ୍କ ଜାମିନ ଆବେଦନ ଉପରେ ଶୁଣାଣିର ରାସ୍ତା ସ୍ପଷ୍ଟ ହେବ। ଅର୍ଥାତ୍ ଉଭୟଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ତିନିଜଣିଆ ଖଣ୍ଡପୀଠଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।
କାହିଁକି ଦ୍ୱିଧା ପ୍ରକାଶ କଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ?
ଶୁଣାଣି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଯେଉଁ ରାୟର ବ୍ୟାଖ୍ୟାକୁ ନେଇ ଆଲୋଚନା ହେଉଛି, ସେହି ରାୟ ସେ ନିଜେ ଦେଇଥିଲେ। ତେଣୁ ଏହି ପ୍ରସଙ୍ଗରେ ତାଙ୍କୁ କିଛିଟା ଦ୍ୱିଧା ଅନୁଭବ ହେଉଛି। ପ୍ରକୃତରେ ୨୦୨୧ ମସିହାର ବହୁଚର୍ଚ୍ଚିତ କେ.ଏ. ନଜିବ ମାମଲାରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରାୟ ଲେଖିଥିଲେ। ସେହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ୟୁଏପିଏ ଅଧୀନରେ ଜାମିନ ପାଇଁ କଡ଼ା କଟକଣା ରହିଥିଲେ ମଧ୍ୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଶୀଘ୍ର ବିଚାର ପାଇବାର ମୌଳିକ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ।
ବିଶେଷକରି ଯେଉଁ କ୍ଷେତ୍ରରେ ବିଚାର ପ୍ରକ୍ରିୟାରେ ଅତ୍ୟଧିକ ବିଳମ୍ବ ହେଉଛି ଏବଂ ନିକଟ ଭବିଷ୍ୟତରେ ମାମଲାର ଶୁଣାଣି ଶେଷ ହେବାର ସମ୍ଭାବନା ନାହିଁ, ସେଠାରେ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏହି ରାୟର ଭିନ୍ନ ଭିନ୍ନ ବ୍ୟାଖ୍ୟା ହେଉଥିବାରୁ ବର୍ତ୍ତମାନ ଏହି ଆଇନଗତ ପ୍ରଶ୍ନକୁ ଏକ ବୃହତ୍ ଖଣ୍ଡପୀଠଙ୍କ ନିକଟକୁ ପଠାଇବା ଆବଶ୍ୟକ ବୋଲି ମନେ କରାଯାଇଛି।
ଦୀର୍ଘଦିନ ଜେଲ୍ରେ ରହିବାକୁ ଜାମିନର ଆଧାର କରିଛନ୍ତି ଆବେଦନକାରୀ
ଉମର ଖାଲିଦ ଏବଂ ଶରଜୀଲ ଇମାମ ଦୀର୍ଘଦିନ ଧରି ଜେଲ୍ରେ ରହିଥିବା ଦର୍ଶାଇ ଜାମିନ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଛି ଯେ, ମାମଲାର ବିଚାର ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିଥିବା ବେଳେ ସୁରକ୍ଷିତ ସାକ୍ଷୀମାନଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବାକୁ ଆହୁରି ସମୟ ଲାଗିବ। ୨୦୨୦ ସେପ୍ଟେମ୍ବର ୨୫ ତାରିଖରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ମୋଟ ୧୮ ଜଣ ଅଭିଯୁକ୍ତଙ୍କ ନାମ ରହିଛି। ଏହାସହ ୯୦୦ରୁ ଅଧିକ ସାକ୍ଷୀଙ୍କ ତାଲିକାରେ ୪୭ ଜଣ ସୁରକ୍ଷିତ ସାକ୍ଷୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇନଥିବାରୁ ବିଚାର ପ୍ରକ୍ରିୟା ଶେଷ ହେବାକୁ ଆହୁରି ଦୀର୍ଘ ସମୟ ଲାଗିପାରେ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି।
ଜାମିନ ନମିଳିବା ଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ପ୍ରଭାବିତ ହେଉଥିବା ମଧ୍ୟ ଯୁକ୍ତି ରଖାଯାଇଛି। ଅନ୍ୟପଟେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ଜାମିନକୁ ବିରୋଧ କରିଥିଲେ। ଏହି ହିଂସା ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଥିଲା ବୋଲି ସେ ଯୁକ୍ତି ରଖିଥିଲେ।
କ’ଣ ଥିଲା ପୂରା ମାମଲା?
୨୦୨୦ ଫେବ୍ରୁଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ପଛରେ ବୃହତ୍ ଷଡ଼ଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଉମର ଖାଲିଦ ଏବଂ ଶରଜୀଲ ଇମାମଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଉଭୟ ଏହି ମାମଲାରେ ଜେଲ୍ରେ ଅଛନ୍ତି।
୨୦୨୬ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ସେମାନଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ତେବେ ଏକ ବର୍ଷ ପରେ କିମ୍ବା ତା’ ପୂର୍ବରୁ ସୁରକ୍ଷିତ ସାକ୍ଷୀମାନଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେଲେ ପୁଣିଥରେ ଜାମିନ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ।
ଏବେ ଉଭୟଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ତତ୍କାଳ କୌଣସି ଆଶ୍ୱସ୍ତି ମିଳିନାହିଁ। ୟୁଏପିଏ ମାମଲାରେ ବିଚାର ପ୍ରକ୍ରିୟାରେ ବିଳମ୍ବ ଜାମିନର ଆଧାର ହୋଇପାରିବ କି ନାହିଁ, ସେନେଇ ତିନିଜଣିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।