*ଚଳଚ୍ଚିତ୍ର ‘ପ୍ରତିଶୋଧ’ରେ ଆକ୍ସନ ମୋଡରେ ଅଭିନେତ୍ରୀ ଏଲିନା*
ଭୁବନେଶ୍ୱର : ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଜୀ-ସାର୍ଥକ ଫିଲ୍ମସ ପ୍ରଯୋଜିତ ଆଉ ଏକ ନୂଆ ସିନେମା ‘ପ୍ରତିଶୋଧ’।
କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ତଥା ସାଇ ସ୍ଵରାଜ ରେଣୁକା ମଙ୍ଗରାଜ (ପୁଚୁ)ଙ୍କ ନିର୍ଦ୍ଦେଶନା ଓ ମାନସ କୁମାର ସାହୁଙ୍କ ସମ୍ପାଦନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଲିଉଡର ନମ୍ବର ୱାନ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଏବଂ ଚରିତ୍ର ଅଭିନେତା ସମରେଶ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଭରଦ୍ବାଜ ପଣ୍ଡା ଏହାର କାହାଣୀ ଲେଖିଥିବା ବେଳେ ଗୁଡ୍ଲି ରଥ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଆଝାର ଅଲ୍ଲୀ ଏହାର ପବ୍ଲିସିଟି ଡିଜାଇନ କରିଛନ୍ତି।
ଅଭିନେତ୍ରୀ ଏଲିନା ପ୍ରଥମ ଥର ପାଇଁ ଏକ ଭିନ୍ନ ଚରିତ୍ରରେ ଦର୍ଶକଙ୍କ ନିକଟକୁ ଆସିବେ। ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମନା କରିଥିବା ଗୋଟିଏ ସାଧାରଣ ଝିଅ କିପରି ଭାବରେ ବାପାଙ୍କ ହତ୍ୟାର ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆକ୍ସନ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀରେ ବାନ୍ଧି ରଖିବ ବୋଲି ଜୀ ସର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍ ସୂଚନା ଦେଇଛନ୍ତି ।