ମାଆ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇ ଓଡ଼ିଆ ଚଳଚ୍ଚିତ୍ର ଦେବକନ୍ୟା ଟିମ୍ ତରଫରୁ ପ୍ରଚାର ଆରମ୍ଭ, ନଭେମ୍ବର ୨୦ରେ ମୁକ୍ତିଲାଭ*
ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଦେବକନ୍ୟା’ ଆସନ୍ତା ନଭେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇଥିବା ବେଳେ ମାଆ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇ ପୁରା ଟିମ୍ ତରଫରୁ ପ୍ରଚାର ଆରମ୍ଭ ହୋଇଛି l ଖାରବେଳ ନଗର (ପ୍ରିୟା ହୋଟେଲ ପାଖ) ଠାରେ ଦୀର୍ଘ ବର୍ଷରୁ ଆୟୋଜିତ ହେଉଥିବା ଗଜଲକ୍ଷ୍ମୀ ପୂଜା ସମିତି ତରଫରୁ (ସମାଜସେବୀ ତଥା ସାଂସ୍କୃତିକ ଗଜଲକ୍ଷ୍ମୀ ପୂଜା ସମିତିର ମୁଖ୍ୟ ଉପଦେଷ୍ଟା) ରୁଦ୍ର ନାରାୟଣ ସାମନ୍ତରାୟ, ସମ୍ପାଦକ ଦେବାଶିଷ ପାଢ଼ୀ, ନୀଳିମା ରାଜଗୁରୁ, ମୁକ୍ତା ମଞ୍ଜରୀ ସୁତାର, ରାଜଶ୍ରୀ ଦାସ ଙ୍କ ସମେତ ତାଙ୍କ ଟିମ୍ ଦ୍ୱାରା ଆୟୋଜିତ ମାଆ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଦେବକନ୍ୟା ଟିମ୍ ତରଫରୁ ଅଭିନେତା ଶୁଭାଶିଷ ଶର୍ମା (ମଣ୍ଟୁ), ଅଭିନେତ୍ରୀ ସୁଶ୍ରୀ
ନିର୍ଦ୍ଦେଶକ ରାଶେଷ ମହାନ୍ତି (ସିଲୁ), କ୍ୟାମେରାମ୍ୟାନ ସୁଦର୍ଶନ ସେନାପତି, କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବାରିକ,
ମିଡିଆ ଏବଂ ମାର୍କେଟିଂ ହେଡ୍ ପ୍ରଣୟ ଜେଠୀ ପହଞ୍ଚି ମାଆଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଏବଂ ଦେବକନ୍ୟାର ପ୍ରଚାର ଆଜିଠାରୁ ଆରମ୍ଭ ହେଲା ବୋଲି କହିଥିଲେ l
ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରକୁ ସୁରେଶ କୁମାର ସାହୁ ଏବଂ ଭାର୍ଗବୀ ତ୍ରିପାଠୀ ପ୍ରଯୋଜନା କରିଛନ୍ତି। ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଲିଖିତ କାହାଣୀ ଓ ସ୍କ୍ରିନ୍ପ୍ଲେ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ରାଶେଷ ମହାନ୍ତି (ସିଲୁ)। ସୁଦର୍ଶନ ସେନାପତି ଏହି ଫିଲ୍ମର ଚିତ୍ରତ୍ତୋଳନ କରିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି।
ଲଭର୍ ବୟ ଓ ଚକୋଲେଟ୍ ବୟ ଭାବେ ଅନେକ ଚଳଚ୍ଚିତ୍ରରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ଶୁଭାଶିଷ ଶର୍ମା (ମଣ୍ଟୁ) ଏହି ଚଳଚ୍ଚିତ୍ରରେ ଏକ ଭିନ୍ନ ଓ ଚ୍ୟାଲେଞ୍ଜିଂ ଭୂମିକାରେ ନଜର ଆସୁଛନ୍ତି ।
ପୁରୀ ମାଟିର ପାରମ୍ପରିକ ଘୋଡ଼ାନାଚକୁ ଆଧାର କରି ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଘୋଡ଼ାନାଚରେ ଝିଅ ବେଶ ହୋଇ ନାଚୁଥିବା ଜଣେ ପୁଅର ଜୀବନକୁ କେନ୍ଦ୍ର କରି ଗଢ଼ାଯାଇଛି ଏହି କାହାଣୀ। ଝିଅ ବେଶରେ ନାଚି ନାଚି ଧୀରେ ଧୀରେ ତା’ର ଅଙ୍ଗଭଙ୍ଗୀ, କଥା କହିବା ଢଙ୍ଗ ଓ ଆଚରଣ ମଧ୍ୟ ଝିଅ ଭଳି ହୋଇଯାଏ। ମା’ ମଙ୍ଗଳାଙ୍କ ପ୍ରତି ତା’ର ଗଭୀର ସମର୍ପଣ ଯୋଗୁଁ ତାଙ୍କ ନାମ ରଖାଯାଏ ‘ଦେବକନ୍ୟା’।
ତେବେ ଏହି ଅସାଧାରଣ କାହାଣୀର ଶେଷ ପରିଣତି କ’ଣ ହୁଏ, ତାହା ଚଳଚ୍ଚିତ୍ର ମୁକ୍ତି ପରେ ହିଁ ଦର୍ଶକ ଜାଣିପାରିବେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକକଳା ଓ ମାଟିର ମହକକୁ ଚଳଚ୍ଚିତ୍ରରେ ଗୁରୁତ୍ୱ ଦିଆଯାଇଛି।
ଶୁଭାଶିଷ ଶର୍ମା(ମଣ୍ଟୁ) ଙ୍କ ସମେତ ବରିଷ୍ଠ କଳାକାର କୁନା ତ୍ରିପାଠୀ, ଅଶ୍ରୁମୋଚନ ମହାନ୍ତି, କେଦାର ମିଶ୍ର, ଦେବ୍, ନବାଗତା ସୁଶ୍ରୀ ମନସ୍ବିନୀ ଏବଂ ଆହୁରି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ଏହି ଚଳଚ୍ଚିତ୍ରର ସାଂସ୍କୃତିକ ଉପଦେଷ୍ଟା ଆଶୁତୋଷ କୁମାର ଥିବା ବେଳେ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l ବିରଞ୍ଚି ନାରାୟଣ ଲେଖିଥିବା ଗୀତ ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ବିକାଶ ଦାସ l କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର ଏବଂ ନିଶାନ୍ତ ମିଶ୍ର l
ଦେବକନ୍ୟା ଚଳଚ୍ଚିତ୍ରର ପୋଷ୍ଟର, ଟ୍ରେଲର ଓ ଅଡିଓ ରିଲିଜ୍ ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଛି। ତେବେ ଆସନ୍ତା ୨୦ ନଭେମ୍ବରରେ ‘ଦେବକନ୍ୟା’ ମକ୍ତିଲାଭ କରିବ ଏବଂ ଦର୍ଶକ ଏହାକୁ ଦେଖି ମନୋରଞ୍ଜନ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି।