ପୁଣି ରାହୁଲଙ୍କ ଟାର୍ଗେଟ କଲେ ବିଜେପି

0

ନୂଆଦିଲ୍ଲୀ :ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବୟାନକୁ ନେଇ ବିବାଦ ଥମିବା ନାଁ ଧରୁନି। ରାହୁଲ ଗାନ୍ଧି ଭାରତର ଗଣତନ୍ତ୍ର ତଥା ସଂସଦ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବାରୁ ଏଥିନିମନ୍ତେ ସେ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ଜିଦ୍‌ ଧରିଛି ବିଜେପି। ରାହୁଲ ଗାନ୍ଧି କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ବି ଚେତାବନୀ ଦେଇଛି ବିଜେପି। ଏପରିକି ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯିବା ନିମନ୍ତେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି।

ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରିବାକୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ନିମନ୍ତେ ଦାବି ଉଠାଇଛନ୍ତି ନିଶିକାନ୍ତ ଦୁବେ । ବିଜେପି ସାଂସଦ ଦୁବେ କହିଛନ୍ତି ଯେ, ୨୦୦୫ ମସିହାରେ ପ୍ରଶ୍ନ ବଦଳରେ ଟଙ୍କା ନେବା ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। ଏହାଦ୍ୱାରା ସଂସଦର ସମ୍ମାନକୁ ଆଘାତ କରାଯାଇଥିବା ଅଭିଯୋଗ ହେବା ପରେ ଏହି କମିଟି ଗଠିତ ହୋଇଥିଲା । ଉକ୍ତ କମିଟି ୧୧ ଜଣଙ୍କ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିଦେଇଥିଲା, ଯାହା ଯଥାର୍ଥ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଥିଲେ।

ରାହୁଲ ଗାନ୍ଧୀ କ୍ରମାଗତ ଭାବେ ୟୁରୋପ ଏବଂ ଆମେରିକାକୁ ଆହ୍ୱାନ କରି ସଂସଦ ଏବଂ ଦେଶର ସମ୍ମାନ ଓ ଛବିକୁ ଖରାପ କରୁଛନ୍ତି । ସେଥିପାଇଁ ତାଙ୍କୁ ସଂସଦରୁ ହଟାଇବାକୁ ସମୟ ଆସିଛି ବୋଲି କହିଛନ୍ତି ଦୁବେ।

ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ସଂସଦ ଗୃହରେ ୮ ବରିଷ୍ଠ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ଦିନରେ ରାହୁଲଙ୍କ ଏପରି ମନ୍ତବ୍ୟ ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା।

ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ କରୁଛି ବିଜେପି। ଗତ ୪ ଦିନ ଧରି ବିଜେପିର ଜଣେ ଲେଖାଏଁ କ୍ୟାବିନେଟ ମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରେସ କନଫରେନ୍ସ କରୁଛନ୍ତି। ଆଜି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିବେ ବୋଲି ଜଣାଯାଇଛି।

Leave A Reply

Your email address will not be published.