କାହିଁକି ଉଦ୍ଧବଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ, ଜାଣନ୍ତୁ

0

ନୂଆଦିଲ୍ଲୀ :ବହୁମତ ପରୀକ୍ଷଣର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେଇଦେଲ । ଏବେ ଆମେ କିପରି ପୁନର୍ବାର ତୁମ ସରକାରଙ୍କୁ କ୍ଷମତା ପ୍ରଦାନ କରିବାକୁ ଅନୁମତି ଦେବୁ।’ ଗତ ବର୍ଷ ଜୁନରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରି ଦେଇଥିବା ଆଦେଶକୁ ରଦ୍ଦ କରିବାକୁ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସୁପ୍ରିମ କୋର୍ଟ ଏପରି କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏହି ଆଦେଶ ରଦ୍ଦ କରା ନ ଗଲେ ଭବିଷ୍ୟତରେ ଗଣତନ୍ତ୍ର ବିପଦରେ ପଡ଼ିପାରେ ବୋଲି ଯୁକ୍ତି ଉପସ୍ଥାପନ କରି କହିଛନ୍ତି ବରିଷ୍ଠ ଓକିଲ କପିଲ ସିବଲ ।

ସିବଲ ଯୁକ୍ତି ବାଢ଼ି କହିଛନ୍ତି, “ମୁଁ ନିଶ୍ଚିତ ଯେ ଏହି କୋର୍ଟର ହସ୍ତକ୍ଷେପ ବିନା ଆମ ଗଣତନ୍ତ୍ର ବିପଦରେ ପଡ଼ିବ । କାରଣ କୌଣସି ନିର୍ବାଚିତ ସରକାରକୁ ସ୍ଥିର ଭାବେ ରହିବାକୁ ଦିଆଯାଉନି। ତେଣୁ ତତ୍‌କାଳୀନ ରାଜ୍ୟପାଳଙ୍କ ଆଦେଶକୁ ପୃଥକ କରି ଏହି ମାମଲାର ବିଚାର ପାଇଁ ସେ ଆବେଦନ କରିଛନ୍ତି ।

ଏନେଇ ଖଣ୍ଡପୀଠ କହିଛନ୍ତି, ଏପରି ଏକ ସରକାରକୁ ପୁନଃ କ୍ଷମତା ପ୍ରଦାନ ପାଇଁ ଅପିଲ ହେଉଛି ଯିଏ ବି ଫ୍ଲୋର ଟେଷ୍ଟ ପୂର୍ବରୁ ହିଁ ଇସ୍ତଫା ଦେଇ ସାରିଥିଲେ। ତେଣୁ ଅଦାଲତ କିପରି ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଗାଦିରେ ବସିବାର ଅଧିକାର ପ୍ରଦାନ କରିବ ଯିଏ ବି ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ପଛ ଘୁଞ୍ଚା ଦେଇଦେଲେ।

ଗତ ବର୍ଷ ଜୁନ୍‌ ୨୯ରେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିଲା । ଉକ୍ତ ସମୟରେ ମହାରାଷ୍ଟ୍ରର ତତ୍‌କାଳୀନ ରାଜ୍ୟପାଳ ଠାକରେଙ୍କ ନେତୃତ୍ୱାଧୀନ ଗଠବନ୍ଧନ ସରକାରକୁ ବହୁମତ ପରୀକ୍ଷାର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସମୟରେ ଗଠବନ୍ଧନ ସରକାର ମାତ୍ର ୩୧ ମାସ ପୂରଣ ହୋଇଥିଲା। ଆସ୍ଥା ଭୋଟ ପରୀକ୍ଷାରୁ ବର୍ତ୍ତିବା ପାଇଁ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଉଚ୍ଚତମ ନ୍ୟାୟାଳୟ ରାଜ୍ୟପାଳଙ୍କ ଆଦେଶକୁ ପ୍ରତ୍ୟାହାର କରିବାକୁ ହୋଇଥିବା ଅପିଲକୁ ଖାରଜ କରି ଦେଇଥିଲେ।

Leave A Reply

Your email address will not be published.