ଉପକୂଳ ଓଡ଼ିଶାରେ ଆଜିର ବର୍ଷାର ତାଣ୍ଡବ
ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ଉପକୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଭ ବିଭାଗ ଆକଳନ କରିଛି । ବିଶେଷକରି ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ଝଡବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଭ ବିଭାଗ । ଏଥିପାଇଁ ଏସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପଶ୍ଚିମାଝଡ଼ ବର୍ଷାରେ ମାଲକାନଗିରିର ଏମପିଭି ୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି । ଲଗାଣ ଘର ଭାଙ୍ଗି ଯିବା ସହ ଉଡି ଯାଇଛି ଘରର ଛପର । ପ୍ରବଳ ଝଡ଼ ବର୍ଷା ପାଇଁ ଗାଁର ୧୦ରୁ ଅଧିକ ଘର ଭାଙ୍ଗିଯାଇଥିବା ସୂଚନା ରହିଛି । ବର୍ଷାରେ କାନ୍ଥପଡ଼ି ଗାଁର ସୁଶୀଳା ମଣ୍ଡଳ ନାମକ ଜଣେ ମହିଳା ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶିବା ଫଳରେ ଧାନ ଚାଉଳ ସହ ବହୁ ଜିନିଷ ପତ୍ର ନଷ୍ଟ ହୋଇଛି ।