ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଶିକ୍ଷାର ବିକାଶ କରୁଥିବା ସରକାର କହୁଛନ୍ତି । ହେଲେ ଅନ୍ଧାରରେ ରାଜ୍ୟର ୧୧୭୧୦ ସ୍କୁଲ । ଯେଉଁଠିକୁ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜେପି ବିଧାୟକ ମୋହନ ମାଝୀ ରାଜ୍ୟରେ ଥିବା ସ୍କୁଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସଂଯୋଗ, ଖେଳ ପଡିଆ, ଛାତ୍ରଛାତ୍ରୀଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତି ହୋଇଛି ସେନେଇ ଗୃହରେ ଉତ୍ତର ଜାଣିବାକୁ ଚାହିଁଥିଲେ ।
ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଗତ ୮ ବର୍ଷରେ ପ୍ରାଥମିକ ଓ ଉଚ୍ଚ ସ୍ତର ପାଇଁ ସମୁଦାୟ ୧୯୪୯୦ ଜଣ ଶିକ୍ଷାସହାୟକ ନିୟୋଜିତ ହୋଇଛନ୍ତି । ସେହିଭଳି ୧୧୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ୨୧୦୬୫ ସ୍କୁଲରେ ଖେଳପଡିଆ ନଥିବା ବେଳେ ୪୧୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ । ସେହିଭଳି ୬୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନଥିବା ବେଳେ ୬୦୧୧ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି ।