ଚଳଚ୍ଚିତ୍ର ‘ମାୟାବୀ’ର ସଙ୍ଗୀତ ଉନ୍ମୋଚିତ

ଜୁନ୍ ୩୦ରେ ଆସିବ ‘ମାୟାବୀ’, ୟୁଟ୍ୟୁବ୍‌କୁ ଆସିଲା ‘ଚାରୁଚିତ୍ରଲେଖା’

0

ଭୁବନେଶ୍ବର (ଆମ ଟିଭି): ଅନୀସ୍ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ମାୟାବୀ’ ଓ ମ୍ୟୁଜିକ୍ ଭିଡିଓ ‘ଚାରୁଚିତ୍ରଲେଖା’ର ଏକ କାଳୀନ ମ୍ୟୁଜିକ୍ ରିଲିଜ୍ ହୋଇଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏହି ସଙ୍ଗୀତ ଉନ୍ମୋଚନ ଉତ୍ସବରେ ଉଭୟର ନିର୍ମାତା, ନିର୍ଦ୍ଦେଶକ, କଳାକାର ଓ କଳାକୁଶଳୀଙ୍କ ସମେତ ଇଣ୍ଡଷ୍ଟ୍ରୀର ବହୁ ନାମୀ ଦାମୀ ବ୍ୟକ୍ତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେବା ସହ ପୋଷ୍ଟର ଓ ସିଡି ଅନାଭରଣ କରି ଆନୁଷ୍ଠାନିକ ଭାବେ ସଙ୍ଗୀତ ଉନ୍ମୋଚନ କରିଥିଲେ ।

ଅନେକ ଦିନ ପରେ ଏକ ଶ୍ରୁତିମଧୁର ମ୍ୟୁଜିକ୍ ଭିଡିଓ ଦେଖିବାକୁ ମିଳିଲା ଯାହାର ଶୀର୍ଷକ ରହିଛି ‘ଚାରୁଚିତ୍ରଲେଖା’ । ତପନ ଦାଶଙ୍କ ଦ୍ବାରା ପ୍ରଯୋଜିତ ଏହି ମ୍ୟୁଜିକ ଭିଡିଓର ସଙ୍ଗୀତ ନିର୍ଦ୍ଦେଶନା ହେଇଛନ୍ତି ବନିଗୌରବ। ଗୀତରଚନା କରିଛନ୍ତି ବାପୁ ଗୋସ୍ଵାମୀ। କୁଲଦୀପ ପଟ୍ଟନାୟକ ଏଥିରେ କଣ୍ଠଦାନ କରିଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ସାଙ୍ଗକୁ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଜୟା ବିଶ୍ଵାସ। କ୍ୟାମେରା ପରିଚାଳନା କରିଛନ୍ତି ସର୍ବେଶ୍ବର ଦାଶ। ଏହି ମ୍ୟୁଜିକ ଭିଡିଓରେ ଦର୍ଶକ ପ୍ରଥମ ଥର ପାଇଁ ସ୍ନେହା ଓ ଅଙ୍କିତ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ। ଓଡିଶା ଏବଂ ଓଡିଶା ବାହାରେ ବିଭିନ୍ନ ମନୋରମ ପୂର୍ଣ୍ଣ ସ୍ଥାନରେ ଏହାର ଚିତ୍ରଗ୍ରହଣ କରାଯାଇଛି । ସ୍ଵର ଓ ଶୈଳୀ ଶ୍ରୁତିମଧୁର ହୋଇଥିବାବେଳେ ଚିତ୍ରୋତ୍ତୋଳନ ବେଶ୍‌ ମନଛୁଆଁ ହୋଇପାରିଛି।

ସତ ନିଜକୁ ପ୍ରକାଶିତ କରେ ନା ମିଛର ଆଢୁଆଳେ ଲୁଚିରହିଯାଏ ? କିଏ ସେ ସତର ସୂତ୍ରଧର ? ମଣିଷ ନା ମାୟାବୀ ? ଏଇ ଭଳି ଏକ ରୋମାଞ୍ଚକର କାହାଣୀକୁ ଆଧାର କରି ଅନିସ୍ ଏଣ୍ଟରଟେନ୍‌ମେଣ୍ଟ୍‌ ପ୍ରସ୍ତୁତ କରୁଛି ଓଡିଆ ଚଳଚ୍ଚିତ୍ର ‘ମାୟାବୀ’ । ତପନ କୁମାର ଦାଶ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଏ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଳାନ, ଭୂମିକା, ଚକ୍ରଧର ଜେନା, କୁନାଲ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଦିଲୀପ ଦାଶ, ଅରବିନ୍ଦ ଜେନା, ସ୍ନେହା, ରତନ ମେହେର, ଆଲିଭିୟା ଏବଂ ବିଶେଷ ଭୂମିକାରେ ବିଶ୍ବବିଖ୍ୟାତ ଯାଦୁଗର ପି.ସି ସରକାରଙ୍କ ନାତୁଣୀ ମୌବନୀ ସରକାର। ଡିଓପି ଅଛନ୍ତି ଲିଟୁ ମହାନ୍ତି। ମାୟାବୀର ସଙ୍ଗୀତ ନିର୍ଦ୍ଦେଶନା ଯଜ୍ଞ ଦାସ ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଜୟା ବିଶ୍ଵାସ। ୩୦ ଜୁନ୍‌ରେ ‘ମାୟାବୀ’ ମୁକ୍ତିଲାଭ କରିବ ବୋଲି ଏହି ଉତ୍ସବରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.