ରାହୁଲଙ୍କୁ ବୁଝାଇଲେ ପାୱାର: ନ ଦିଅନ୍ତୁ ସାବରକର ବିରୋଧୀ ମନ୍ତବ୍ୟ

0

ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କୁ ଏବେ ଅଡ଼ୁଆରେ ପକାଇଛି ତାଙ୍କର ସାବରକର ମନ୍ତବ୍ୟ । ଏହାରି ଭିତରେ ସ୍ୱାଧୀନତା ସଂଗ୍ରାମୀ ସବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସଂସଦର ସଦସ୍ୟତା ରଦ୍ଦ ପରେ ପ୍ରେସମିଟରେ ସବରକରଙ୍କୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ । ଯାହା ବିରୋଧୀ ଏକତାରେ ଫାଟ ସୃଷ୍ଟି କରିଥିଲା ।

ଉଦ୍ଧବ ଗୋଷ୍ଠୀଙ୍କ ଶିବସେନାର ସାଂସଦ ସଂଜୟ ରାଉତ କହିଥିଲେ, ଏଭଳି ବୟାନ ରାହୁଲ ସପକ୍ଷରେ ସାରା ଦେଶରେ ସୃଷ୍ଟି ହୋଇଥିବା ସହାନୁଭୂତିକୁ କମାଇ ଦେବ । ଅନ୍ୟପଟେ ଗତକାଲି ସଂସଦ ପରିସରରେ ବିଜେପି ସହ ଉଦ୍ଧବ ବାଲା ସାହେବ ଠାକରେ ଶିବସେନା ବା ୟୁବିଟି ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଏ ପ୍ରସଙ୍ଗରେ କଂଗ୍ରେସ ଡାକିଥିବା ବିରୋଧୀ ଦଳ ବୈଠକକୁ ମଧ୍ୟ ଆସିନଥିଲା ୟୁବିଟି । ସେପଟେ ଉଦ୍ଧବ ଠାକରେ ଚେତାବନୀ ଦେଇ କହିଥିଲେ, ରାହୁଲ ସାବରକର ବିରୋଧୀ ବୟାନ ଦେବା ବନ୍ଦ ନକଲେ ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ଏନସିପି ମୁଖ୍ୟ ଶରଦ ପାୱାର ମେଣ୍ଟରେ ଦେଖା ଦେଇଥିବା ଫାଟକୁ ଦୂରେଇବା ପାଇଁ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଛନ୍ତି ।

Leave A Reply

Your email address will not be published.