ଚୀନ୍ ମହିଳାଙ୍କ ସହ ସମ୍ପର୍କକୁ ନେଇ ବିବାଦରେ Nvidia CEO, ପତ୍ନୀଙ୍କୁ ଧୋକା ଦେଇଥିବା ସ୍ୱୀକାର କଲେ ଜେନସନ୍ ହୁଆଙ୍ଗ !

0

ଆମେରିକାର ପ୍ରସିଦ୍ଧ ଟେକ୍ କମ୍ପାନୀ Nvidiaର ପ୍ରତିଷ୍ଠାତା ତଥା CEO ଜେନସନ୍ ହୁଆଙ୍ଗଙ୍କୁ ନେଇ ଏବେ ଜୋର୍ ଚର୍ଚ୍ଚା । ଜଣେ ଚୀନ୍ ମହିଳା ବ୍ୟବସାୟୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ଏବଂ ଉକ୍ତ ମହିଳା ଚୀନର ଗୁଇନ୍ଦା ସଂସ୍ଥା ସହ ଜଡ଼ିତ ଥିବା ନେଇ ଆମେରିକାର ଗୁଇନ୍ଦା ସଂସ୍ଥା ସନ୍ଦେହ ପ୍ରକାଶ କରିଥିବା ଦାବି କରାଯାଇଛି ।

ଏହି ବିବାଦ ମଧ୍ୟରେ ଜଣେ ମହିଳା ବ୍ୟବସାୟୀ ଅଧିକାରୀଙ୍କ ସହ ନିଜର ଘନିଷ୍ଠ ସମ୍ପର୍କ ଥିବା ଜେନସନ୍ ସ୍ୱୀକାର କରିଥିବା ଜଣାପଡିଛି । ଏହାପରେ Nvidia ପକ୍ଷରୁ ଘଟଣାର ତଦନ୍ତ କରାଯିବା ନେଇ କୁହାଯାଇଛି । କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ସମ୍ମୁଖରେ ଉକ୍ତ ମହିଳା ବ୍ୟବସାୟୀଙ୍କ ସହ ନିଜର ଅନ୍ତରଙ୍ଗ ସମ୍ପର୍କ ଥିବା ଜେନସନ୍ ସ୍ୱୀକାର କରିଛନ୍ତି । ଏହାକୁ ନେଇ ସେ କମ୍ପାନୀକୁ ଏକ ମେସେଜ ପଠାଇ କ୍ଷମା ମଧ୍ୟ ମାଗିଥିବା ରିପୋର୍ଟରେ ଦାବି କରାଯାଇଛି ।

ଜେନସନ୍ କହିଛନ୍ତି, ମୁଁ ମୋ ପତ୍ନୀଙ୍କ ପ୍ରତି ବିଶ୍ବାସଘାତକତା କରିଛି । ମୋର ଏହି କାର୍ଯ୍ୟ ତାଙ୍କ ସହ ଆମ ପିଲାମାନଙ୍କୁ ମଧ୍ୟ ଆଘାତ ଦେଇଛି । ମୁଁ ଯାହା କରିଛି, ତାହାକୁ କୌଣସି ଉପାୟରେ ଠିକ୍ ବୋଲି କହିହେବ ନାହିଁ । ଏଥିପାଇଁ ମୋତେ ଗଭୀର ଅନୁତାପ ହେଉଛି ।

ସନ୍ଦେହ ଘେରରେ ଥିବା ମହିଳାଙ୍କ ନାମ ଏଲିସ୍ ହୁଆଙ୍ଗ । ସେ ଜଣେ ଚୀନ୍ ନାଗରିକ ଏବଂ ସିଙ୍ଗାପୁରରେ ଥିବା ଡାଟା ସେଣ୍ଟର କମ୍ପାନୀ ‘ମେଗାସ୍ପିଡ୍’ର ଜଣେ ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଏଲିସଙ୍କ ଉପରେ ଚୀନକୁ ଗୋପନୀୟ ତଥ୍ୟ ଯୋଗାଇବା ନେଇ ସନ୍ଦେହ ପ୍ରକାଶ କରିଥିବା ଦାବି କରାଯାଇଛି । ଏଥିସହ ଚୀନକୂୁ ଉନ୍ନତ ଏଆଇ ଚିପ୍ ଯୋଗାଣ ଉପରେ ଆମେରିକା ଲଗାଇଥିବା କଟକଣାକୁ ଏଡାଇବାରେ ସେ ସହଯୋଗ କରିଥିବା ମଧ୍ୟ ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, Nvidia ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଟେକ୍ନୋଲୋଜି କମ୍ପାନୀ । ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ତାଲିକାରେ ଏହା ଦ୍ୱିତୀୟ ସ୍ଥାନରେ ରହିଥିବା ବ୍ଲୁମବର୍ଗ ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.