ମୁମ୍ବାଇରେ ରକେଟ୍ ବାଣ ଫୁଟାଇବା ଉପରେ କଟକଣା, ନଭେମ୍ବର ୨୫ ଯାଏଁ ଲାଗୁ

0

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇରେ ବାଣ ଫୁଟାଇବାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବୃହତମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) । ଏଣିକି ସହରରେ ରକେଟ୍ ଏବଂ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ୨୦୨୬ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । BMC କମିଶନର ପ୍ରାଜକ୍ତା ଲଭଙ୍ଗାରେ-ବର୍ମା ଏହି ନିଷେଧାଦେଶ ଜାରି କରିଛନ୍ତି । ନଭେମ୍ବର ୯ ତାରିଖରୁ ଏହା ତୁରନ୍ତ ଲାଗୁ ହୋଇଛି ।

ଖବର ମୁତାବକ, ଜାରି ହୋଇଥିବା ନିଷେଧାଦେଶ ମୁମ୍ବାଇ ମହାନଗର ନିଗମ ସୀମା ମଧ୍ୟରେ ଥିବା ଉଭୟ ସର୍ବସାଧାରଣ ଓ ବ୍ୟକ୍ତିଗତ ସ୍ଥାନରେ ଲାଗୁ ହେବ । ଏଥିରେ ଆବାସିକ କୋଠାର ଛାତ, ବାଲକୋନି, ଅଗଣା, ପାର୍କିଂ ସ୍ଥାନ, ବସ୍ତି ଅଞ୍ଚଳ ସମେତ ଅନ୍ୟ ସମସ୍ତ ପରିସର ସାମିଲ ରହିଛି । ଘରର ଛାତ କିମ୍ବା ବାଲକୋନିରେ ମଧ୍ୟ ରକେଟ୍ ଓ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ ।

ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ହଠାତ୍ ବୃଦ୍ଧି ପାଇବା ପରେ BMC ଏହି ପଦକ୍ଷେପ ନେଇଛି । ନଭେମ୍ବର ୮ ତାରିଖରେ ମୁମ୍ବାଇ ଅଗ୍ନିଶମ ବିଭାଗକୁ ଅଗ୍ନିକାଣ୍ଡ ସମ୍ପର୍କିତ ମୋଟ ୧୪୨ଟି କଲ୍ ଆସିଥିଲା । ସେଥିମଧ୍ୟରୁ ୧୩୭ଟି ଘଟଣା ବାଣ ଫୁଟାଇବା ସହ ଜଡ଼ିତ ଥିବା ଜଣାପଡ଼ିଛି । ରକେଟ୍ ଓ ଆକାଶକୁ ଉଡ଼ୁଥିବା ବାଣର ଜଳନ୍ତା ଅବଶେଷ କୋଠାର ଛାତ, ବାଲକୋନି, ଝରକା ଓ ଦହନଶୀଳ ସାମଗ୍ରୀ ଉପରେ ପଡ଼ି ନିଆଁ ଲାଗିବାର ଆଶଙ୍କା ରହିଛି ।

ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ର ଧାରା ୪୧(A), ୨୬(୨), ୩୦ ଓ ୩୪(M) ଅନୁସାରେ BMC ଏହି ଆଦେଶ ଜାରି କରିଛି । ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦାୟିତ୍ୱ ପୋଲିସର ଜୋନାଲ ଡେପୁଟି କମିଶନର, BMCର ବିଭାଗୀୟ ଆସିଷ୍ଟାଣ୍ଟ କମିଶନର ଏବଂ ଅଗ୍ନିଶମ ବିଭାଗକୁ ଦିଆଯାଇଛି ।

Leave A Reply

Your email address will not be published.