ଓଡ଼ିଶାରେ ମହଙ୍ଗା ହେବ ମଦ
ଭୁବନେଶ୍ବର : ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ। କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ। ରାଜ୍ୟରେ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍ଏଫ୍ଏଲ୍) ଦର ବୃଦ୍ଧି ପାଇବ। ଏଣିକି ବିୟର ପାର୍ଲରରେ ୱାଇନ୍ ଉପଲବ୍ଧ ହେବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ ରହିଛି। ଆସନ୍ତା ଏପ୍ରିଲ୍ ପହିଲାରୁ ଏହାକୁ ଲାଗୁ କରାଯିବ।
ନୂଆ ଅବକାରୀ ନୀତି ମୁତାବକ, କୌଣସି ମଦ ଦୋକାନୀ ତାଙ୍କ ଦୋକାନରେ ‘ସରକାରୀ’ ବୋଲି ଉଲ୍ଲେଖ କରିବେ ନାହିଁ। ସେମାନେ ତାଙ୍କ ସାଇନ୍ବୋର୍ଡରେ ‘ସ୍ବୀକୃତିପ୍ରାପ୍ତ ମଦଦୋକାନ’ ବୋଲି ଲେଖିବେ। ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରଖିପାରିବେ ନାହିଁ। ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବେ। ଖୋଲିବା ଏବଂ ବନ୍ଦ ହେବା ସମୟ ମଧ୍ୟ ଉଲ୍ଲେଖ କରିବେ। ଯେଉଁ ବୟସର ବ୍ୟକ୍ତି ମଦ କିଣିବା ପାଇଁ ଅଯୋଗ୍ୟ, ସେହି ବୟସ ସମ୍ବନ୍ଧରେ ସର୍ବସାଧାରଣରେ ଅବଗତ କରାଇବେ। ମଦ୍ୟପାନ ‘ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ। ପୂର୍ବଭଳି ହୋମ୍ ଡେଲିଭରି ଜାରିରହିବ। କୋଭିଡ୍ କଟକଣାକୁ ନେଇ ଜାରିହୋଇଥିବା ‘ସାମାଜିକ ଦୂରତା’ ନିୟମ ବଳବତ୍ତର ରହିବ।