ତାଜମହଲକୁ ନେଇ ଏମିତି କହିଲେ ବିଜେପି ବିଧାୟକ
ନୂଆଦିଲ୍ଲୀ :ଦେଶର ବହୁ ପୁରାତନ ଐତିହ୍ୟ ତଥା କୀର୍ତ୍ତିରାଜୀ ତାଜମହଲକୁ ପ୍ରେମର ପ୍ରତୀକ ବୋଲି ଧରାଯାଏ । ହେଲେ ଏହା ପ୍ରେମର ପ୍ରତୀକ ନୁହେଁ ବୋଲି ଖୋଲାଖୋଲି କହିଛନ୍ତି ଆସାମର ବିଜେପି ବିଧାୟକ ରୁପଜ୍ୟୋତି କୁର୍ମୀ । ସେ ତାଜମହଲକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ ।
ରୁପଜ୍ୟୋତି କୁର୍ମୀ କହିଛନ୍ତି, ଯଦି ଶାହଜାହାନ ନିଜ ଚତୁର୍ଥ ପତ୍ନୀ ମମତାଜଙ୍କୁ ପ୍ରକୃତ ପ୍ରେମ କରୁଥିଲେ ଓ ତାଙ୍କ ପାଇଁ ହିଁ ତାଜମହଲ କରିଥିଲେ ତେବେ ସେ କ’ଣ ପାଇଁ ଆଉ ୩ ଥର ବିବାହ କରିଥିଲେ? ତେଣୁ ତାଜମହଲ ଓ କୁତବମୀନାର ପରି ସ୍ମାରକୀକୁ ଭାଙ୍ଗି ମାଟିରେ ମିଶାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ରୁପଜ୍ୟୋତି କୁର୍ମୀ ।
ବିଜେପି ନେତାଜଣକ କହିଛନ୍ତି, “ମୋଗଲଙ୍କ ବିଷୟକୁ ଦେଶରୁ ହଟାଇବାକୁ ପଡିବ। ଜଣେ ମୋଗଲ ରାଜା ଜାହାଙ୍ଗୀର ୨୦ ଥର ବିବାହ କରିଥିଲେ। ତାଜମହଲକୁ ସମଗ୍ର ଦେଶରେ ପ୍ରେମର ପ୍ରତୀକ କୁହାଯାଉଥିବା ବେଳେ ମମତାଜ ମହଲ ବି କୁହାଯାଏ। ମମତାଜ ଶାହଜାହନଙ୍କ ଚତୁର୍ଥ ପତ୍ନୀ ହୋଇଥିବା ବେଳେ ତାଙ୍କ ପରେ ବି ଶାହଜାହାନଙ୍କ ପତ୍ନୀଙ୍କ ତାଲିକା ଲମ୍ବି ଚାଲିଥିଲା।
ମୋଗଲମାନେ ୧୫୨୬ରେ ଭାରତ ଆସିଥିବା ବେଳେ ୧୬୩୨ରେ ତାଜମହଲ ତିଆରି କଲେ। ଏଥିନିମନ୍ତେ ସେ ଟଙ୍କା କେଉଁଠୁ ପାଇଲେ? ଏଥିରୁ ସ୍ପଷ୍ଟ ହେଉଛି ଭାରତରେ ଥିବା ହିନ୍ଦୁ ରାଜାଙ୍କୁ ମାରି, ଧମକାଇ ତାଙ୍କଠୁ ଲୁଟ୍ କରିଥିବା ଅର୍ଥରେ ହିଁ ମୋଗଲମାନେ ତାଜମହଲ ତିଆରି କରିଛନ୍ତି।