ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଙ୍ଗନବାଡି ମଧ୍ୟ ଆଜିଠୁ ବନ୍ଦ ରହିବ । ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ପର୍ୟ୍ୟନ୍ତ କ୍ଲାସ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ତାରିଖ ପରେ ପରିସ୍ଥିତିକୁ ଦେଖି ସରକାର ପରବର୍ତୀ ପଦକ୍ଷେପ ନେବେ । ଜାପାନ ଗସ୍ତରୁ ଫେରିବା ପରେ ନବୀନ ପଟ୍ଟନାୟକ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଖରା ବଢିବା ସମ୍ଭାବନା ଥିବାରୁ ପ୍ରସ୍ତୁତ ହୋଇ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ କିଛି ଦିନ ହେଲା ରାଜ୍ୟର ତାପମାତ୍ରା ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ମଧ୍ୟ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରିଛି । ଏହାକୁ ନଜରରେ ରଖି ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପିଇବା ପାଣି ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

 

Leave A Reply

Your email address will not be published.