କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ :ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଏହି ମାମଲାର ଶୁଣାଣିକୁ ତୁଷାର ମେହେଟ୍ଟା ବିରୋଧ କରିଥିବା ବେଳେ ତାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। କ’ଣ ଓ କିପରି ଶୁଣାଣି କରିବୁ, ତାହା ଆମକୁ ଶିଖାଅ ନାହିଁ ବୋଲି ସିଧା ସିଧା କହିଛନ୍ତି ସୁପ୍ରିମ କୋର୍ଟ।

ସମଲଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନିମନ୍ତେ ୨୦ଟି ଆବେଦନ ହୋଇଥିବା ବେଳେ ଆଜି ଏହା ଉପରେ ଶୁଣାଣି ଜାରି ରହିଛି। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ୍‌ ନରସିଂହ୍ନାଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ କୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ନ ଥିବା ବେଳେ କେନ୍ଦ୍ର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ତୀବ୍ର ବିରୋଧ କରିଛନ୍ତି। ଆଜିର ଶୁଣାଣି ବେଳେ ସେ କହିଛନ୍ତି ଯେ, ଏହି ମାମଲାର ଶୁଣାଣିକୁ ନେଇ ଆମର ପ୍ରଥମ ଆପତ୍ତି ରହିଛି। କାରଣ ଏହା ସଂସଦ ଅଧିକାରର ବିଷୟ ।

ଏହି ମାମଲାର ଶୁଣାଣି କରିବାକୁ ୨୦ଟି ଆବେଦନ ହୋଇଥିବା ବେଳେ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ସଲିସିଟର ଜେନେରାଲ । ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରି ପାରିବେନି, ଏଥିପାଇଁ ସଂସଦ ହିଁ ଉପଯୁକ୍ତ ଫୋରମ୍‌ ବୋଲି ସେ ସଫା ସଫା କହିଛନ୍ତି।

ଏଥିସହ ସେ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଭାରତୀୟ ନୀତିଗତ ଆଦର୍ଶ ଉପରେ ପର୍ଯ୍ୟବେଷିତ । ବହୁ ସଂଖ୍ୟାରେ ଦେଶବାସୀଙ୍କ ପରାମର୍ଶ ନେଇ ଏହି ମାମଲାର ଶୁଣାଣି କରାଯିବା ଉଚିତ । ତେଣୁ ସଂସଦୀୟ ପ୍ଲାଟଫର୍ମରେ ଏହାର ଶୁଣାଣି ହେଲେ ତାହା ଫଳପ୍ରଦ ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ମାମଲାକୁ ସୁପ୍ରିମକୋର୍ଟ ଶୁଣାଣି କରିପାରିବେ କି ନାହିଁ ତାହା ଏକ ବିରାଟ ପ୍ରଶ୍ନ ବୋଲି କହିଛନ୍ତି ତୁଷାର ମେହେଟ୍ଟା । ସେ କହିଛନ୍ତି ଏଥିନିମନ୍ତେ କେନ୍ଦ୍ରକୁ ପ୍ରଥମେ ଶୁଣିବା ଉଚିତ। କାରଣ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୨୦ ମାମଲାର ଶୁଣାଣିକୁ ଆମେ ବିରୋଧ କରୁଛୁ ।

ଏହାର ପରିସୀମା ବ୍ୟାପକ ହୋଇଥିବାରୁ ଏଥିରେ ରାଜ୍ୟମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଏହାର ଉତ୍ତରରେ ସୁପ୍ରିମକୋର୍ଟ କହିଛନ୍ତି, ଆମ ଉପରେ ଭରସା ରଖ । ଆମେ ସମସ୍ତ ଦୃଷ୍ଟିକୋଣକୁ ବ୍ୟାପକ ଭାବେ ଶୁଣିବୁ। ଆପଣଙ୍କ ପକ୍ଷ ମଧ୍ୟ ଶୁଣିବୁ । ତେଣୁ ଆମକୁ କେସ୍‌ ଆରମ୍ଭ କରିବାକୁ ସୁଯୋଗ ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ସିଂ ।

Leave A Reply

Your email address will not be published.