ପୁଣି କଂଗ୍ରେସ ଉପରେ ବର୍ଷିଲେ ମୋଦି, କହିଲେ ଏମିତି

0

ନୂଆଦିଲ୍ଲୀ: କଂଗ୍ରେସର ‘ୱାରେଣ୍ଟି’ ଚାଲି ଯାଇଥିବାରୁ ସେ ଆଉ କି ‘ଗ୍ୟାରେଣ୍ଟି’ ଦେବ ବୋଲି ଆଜି କର୍ଣ୍ଣାଟକ ବୁଥ୍‌କର୍ମୀଙ୍କ ସହିତ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ବୁଥ୍‌କର୍ମୀମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ କଂଗ୍ରେସର ମାଗଣା ସଂସ୍କୃତି ସଂକ୍ରାନ୍ତ ଗୋଟାଏ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ ଯେ, ଏବେ ଦକ୍ଷିଣ ଭାରତରେ ମଧ୍ୟ ଜନସାଧରରଣ ‘ରେବ୍‌ଡି’ର (ମାଗଣା ଉପହାର) ଅର୍ଥ ବୁଝିଲେଣି। ଜନକଲ୍ୟାଣରେ ଆଗ୍ରହ ନ ଥିବା କେତେକ ରାଜନୈତିକ ଦଳ ଏହି ମାଗଣା ସଂସ୍କୃତି ଆରମ୍ଭ କରିଛନ୍ତି। କିନ୍ତୁ, ସରକାର ଏମିତି ଚ‌ାଲେ ନାହିଁ। ସରକାର କେବଳ ଆଜି ଓ ଆଗାମୀକାଲିର କଥା ଚିନ୍ତା କରେ ନାହିଁ। ସରକାର ଆଗାମୀ ପିଢ଼ିଙ୍କ କଥା ଚିନ୍ତା କରେ।

ସେ ଆହୁରି ମଧ୍ୟ କହିଛନ୍ତି, ହିମାଚଳ ପ୍ରଦେଶର ଜନସାଧାରଣ ସେମାନଙ୍କର ନିର୍ବାଚନ ‘ଗ୍ୟାରେଣ୍ଟି’କୁ ଅପେକ୍ଷା କରିଛନ୍ତି। ୪ ବର୍ଷ ପରେ ଏବେ ରାଜସ୍ଥାନବାସୀ ପ୍ରତିବାଦ ଆରମ୍ଭ କରିଛନ୍ତି। କଂଗ୍ରେସ ଆଉ ‘ଗ୍ୟାରେଣ୍ଟି’ ଦେବା ଅବସ୍ଥାରେ ନାହିଁ। କଂଗ୍ରେସର ଅର୍ଥ ହେଉଛି ନିରୋଳା ଦୁର୍ନୀତି ଓ ମିଥ୍ୟା। କଂଗ୍ରେସ କି ଗ୍ୟାରେଣ୍ଟି ଦେଇ ପାରିବ? ତା’ର ‘ୱାରେଣ୍ଟି’ ଶେଷ ହୋଇଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ‘ବିଜେପି’ ପ୍ରତି କର୍ଣ୍ଣାଟକର ଅଗାଧ ବିଶ୍ବାସ ରହିଛି। ‘ବିଜେପି’ ନେତାମାନେ ପ୍ରଚାର ଅଭିଯାନରେ ଯେଉଁଆଡ଼େ ଯାଉଛନ୍ତି, ସେଠାରେ ତାହା ଦେଖିବାକୁ ମିଳୁଛି।

ଜଣେ ବୁଥ୍‌କର୍ମୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ, ୧୦ଜଣ ପୁରୁଷ ଓ ୧୦ଜଣ ମହିଳାଙ୍କୁ ନେଇ ବଳିଷ୍ଠ ଟିମ୍‌ଟିଏ ଗଠନ କର, ଯେଉଁମାନେ ଘର ଘର ବୁଲି ଲୋକଙ୍କୁ ‘ଡବଲ୍‌-ଇଞ୍ଜିନ୍‌’ ସରକାରର କାର୍ଯ୍ୟ ବିଷୟରେ କହି‌ବେ। ଆପଣଙ୍କ ପାଖରେ ସମସ୍ତ ସୂଚନା ଗୋଟାଏ ଡାଏରିରେ ଥିବା ଉଚିତ। ପ୍ରତି ଘରେ ଘଣ୍ଟାଏ ଲେଖାଁ ବିତାଅ। ସେଠାରେ ବୟୋଜ୍ୟେଷ୍ଠମାନଙ୍କର ଆଶିଷ ଭିକ୍ଷାକର।

Leave A Reply

Your email address will not be published.