ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

0

ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିଦେଶରେ ପହଞ୍ଚି ନୂଆ ସିମ୍ କାର୍ଡ ଖୋଜିବାକୁ ପଡ଼ିବ ନାହିଁ। ଏୟାର୍ ଇଣ୍ଡିଆ ନିଜ ଯାତ୍ରୀମାନଙ୍କୁ ‘EasyRoam Travel SIM’ ଯୋଗାଇଦେବ, ଯାହା ମାଧ୍ୟମରେ ବିଦେଶରେ ମଧ୍ୟ ସହଜରେ କଲିଂ ଏବଂ ମୋବାଇଲ୍ ଡାଟା ଭଳି ସେବାର ସୁବିଧା ମିଳିପାରିବ।

ଏୟାର୍ ଇଣ୍ଡିଆ ଅନୁଯାୟୀ, ଟାଟା କମ୍ୟୁନିକେସନ୍ସ (Tata Communications) ସହ ଭାଗୀଦାରୀରେ ଏହି EasyRoam ସେବା ପ୍ରସ୍ତୁତ କରାଯାଇଛି। ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଫିଜିକାଲ୍ ସିମ୍ କାର୍ଡ ନେଇପାରିବେ କିମ୍ବା ନିଜ ସ୍ମାର୍ଟଫୋନ୍‌ରେ eSIM ଆକ୍ଟିଭେଟ୍ କରିପାରିବେ।

ଏହି ସେବା ଏୟାର୍ ଇଣ୍ଡିଆ ବ୍ରାଣ୍ଡ୍ ନାମରେ ଉପଲବ୍ଧ ହେବ। ଯାତ୍ରୀମାନେ ଏୟାରଲାଇନ୍‌ର ଏକ ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ୱେବସାଇଟ୍ ଜରିଆରେ ଏହି ସିମ୍ କିମ୍ବା ଇ-ସିମ୍ (eSIM) କିଣିପାରିବେ। ବିଦେଶରେ ପହଞ୍ଚିବା ପରେ ମୋବାଇଲ୍ କନେକ୍ଟିଭିଟିକୁ ନେଇ ଯେଉଁ ଅସୁବିଧା ହୋଇଥାଏ, ତାହାକୁ ଦୂର କରିବା ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ।

ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରାଭେଲ୍ ସିମ୍ ପ୍ରାୟ ୩୦ଟି ଦେଶ ପାଇଁ ଉପଲବ୍ଧ ହେବ। ଏଥିରେ ଉତ୍ତର ଆମେରିକା, ୟୁରୋପ, ବ୍ରିଟେନ୍, ଅଷ୍ଟ୍ରେଲିଆ, ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ମଧ୍ୟପ୍ରାଚ୍ୟ (Middle East)ର ଦେଶଗୁଡ଼ିକ ସାମିଲ ଅଛନ୍ତି। ଫଳରେ ଯାତ୍ରୀମାନଙ୍କୁ ଅଲଗା ଅଲଗା ଦେଶରେ ସ୍ଥାନୀୟ ସିମ୍ ନେବାର ଆବଶ୍ୟକତା କମିଯିବ। ଏହି ସିମ୍ ଜରିଆରେ ଭଏସ୍ କଲିଂ ଏବଂ ଡାଟା ସେବା ମିଳିବ, ଯାହାର ପ୍ୟାକ୍ ଓ ଦର ଭିନ୍ନ ଭିନ୍ନ ଦେଶ ଅନୁସାରେ ଅଲଗା ରହିବ।

ଏୟାର୍ ଇଣ୍ଡିଆ ସୂଚନା ଦେଇଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ EasyRoam ସିମ୍ କାର୍ଡ ମାଗଣାରେ ଯୋଗାଇ ଦିଆଯିବ। ତେବେ ସିମ୍ ମାଗଣା ମିଳୁଥିଲେ ବି ମୋବାଇଲ୍ ସେବା ସମ୍ପୂର୍ଣ୍ଣ ମାଗଣା ହେବ ନାହିଁ। ଯାତ୍ରୀମାନଙ୍କୁ ନିଜ ଆବଶ୍ୟକତା ଅନୁସାରେ ରୋମିଂ ପ୍ୟାକ୍ (Roaming Pack) ପାଇଁ ଶୁଳ୍କ ଦେବାକୁ ପଡ଼ିବ। ଏୟାରପୋର୍ଟ କିମ୍ବା ସ୍ଥାନୀୟ ବଜାରରେ ସିମ୍ କିଣିବାର ଝଞ୍ଜଟରୁ ବଞ୍ଚିବା ପାଇଁ ଏହା ଯାତ୍ରୀଙ୍କ ପାଇଁ ବେଶ୍ ସହାୟକ ହେବ।

EasyRoam କୁ ଏୟାର୍ ଇଣ୍ଡିଆ ଏବଂ ଟାଟା କମ୍ୟୁନିକେସନ୍ସ ମିଶି ତିଆରି କରିଛନ୍ତି, ଯେଉଁ ଦୁଇଟିଯାକ ଟାଟା ଗ୍ରୁପ୍‌ର ଅଂଶ। ଏୟାରଲାଇନ୍ ନିଜର ଆନସିଲାରୀ ପ୍ରଡକ୍ଟସ ଅର୍ଥାତ୍ ଅତିରିକ୍ତ ଯାତ୍ରୀ ସେବାର ପରିସରକୁ ବୃଦ୍ଧି କରିବା ପାଇଁ ଏହି ନୂଆ ପଦକ୍ଷେପ ନେଇଛି। ଆଗାମୀ ଦିନରେ ଏହାର ନେଟୱର୍କ କଭରେଜ୍ ଏବଂ ରୋମିଂ ବିକଳ୍ପରେ ଆହୁରି ସମ୍ପ୍ରସାରଣ କରାଯିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.