ଭୁବନେଶ୍ୱର (ଆମ ଟିଭି): ଜାନୁଆରୀ ୨୯ । ଠିକ୍ ଆଜିର ଦିନରେ ସ୍ୱର୍ଗତ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ନବ ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୩ ମାସ ପୂରିଛି । ହେଲେ ଏଯାବତ ହତ୍ୟାର କାରଣ ସ୍ପଷ୍ଟ କରିନି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଝାରସୁଗୁଡାରେ ବିଜେପି ପ୍ରେସମିଟ୍ କରି ହତ୍ୟା ପଛର କାରଣ କେବେ ଜଣାପଡିବ ବୋଲି ପ୍ରଶ୍ନ କରିଛି । ଏଥସହ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ତଦନ୍ତ ବାବଦରେ ସମୀକ୍ଷା କରିବାକୁ ଆହ୍ୱାନ କରିଛି ବିଜେପି ।
ଘଟଣାର ତଦନ୍ତ କ’ଣ ହୋଇଛି ସେ ବାବଦରେ ଦୀପାଳି ଥରେ ଅନୁଧ୍ୟାନ କରିବା ଆବଶ୍ୟକ ରହିଛି ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି । ସେପଟେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ସରକାର ଏହି ମାମଲାରେ ଯେଉଁ ନ୍ୟାୟିକ ପଦକ୍ଷେପ ନେବା କଥା ନେଇଛନ୍ତି । ନବ ଦାସଙ୍କ ଝିଅ ଏବେ ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ତେଣୁ ଏହାକୁ ନେଇ ରାଜନୀତି ନହେଉ ବୋଲି ବିଧାୟକ କହିଛନ୍ତି ।