‘ଦି କେରଳ ଷ୍ଟୋରି’ ଦେଖିବାକୁ କହିଲେ ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟି: ନିଜ ନିଜର ଝିଅମାନଙ୍କ ସହିତ ମିଶି ‘ଦି କେରଳ ଷ୍ଟୋରି’ ଦେଖନ୍ତୁ ବୋଲି ଗୁରୁବାର ଦିନ ଗୌହାଟିରେ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ଏବଂ ‘ବିଜେପି’ ବିଧାୟକମାନଙ୍କ ସଙ୍ଗରେ ବସି ଏହି ଚଳଚ୍ଚିତ୍ର ଦେଖିବା ପରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ଏହି ଚଳଚ୍ଚିତ୍ରର ଭୂୟସୀ ପ୍ରଶଂସା କରିବା ସହିତ ଏହାକୁ ଦେଖିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ‘ଦି କେରଳ ଷ୍ଟୋରି’ ଆତଙ୍କବାଦକୁ ଉନ୍ମୁକ୍ତ କରିବା ସହିତ ‘ଜିହାଦ୍’ ଏବଂ ଧର୍ମ ନାଁରେ ଆତଙ୍କବାଦୀ ଶିବିର ଭିତରେ କ’ଣ ସବୁ ଚାଲିଛି ତାହା ବର୍ଣ୍ଣନା କରୁଛି।
ଚଳଚ୍ଚିତ୍ରର ଘଟଣାବଳି ସଂକ୍ରାନ୍ତରେ ବର୍ଣ୍ଣନା କରି ସେ କହିଛନ୍ତି କି, ଜଣେ ନରୀହା ଝିଅକୁ କେମତି ଆତଙ୍କବାଦୀ ସଙ୍ଗଠନ ଆପଣା ସ୍ବାର୍ଥରେ ଲଗାଇଛି, ତାହାକୁ ଅଧାର କରି ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି। ଆତଙ୍କବାଦ ବ୍ୟତୀତ ଏହି ଚଳଚ୍ଚିତ୍ର କୌଣସି ସମ୍ପ୍ରଦାୟର ବିରୋଧ କରୁ ନ ଥିବାରୁ ଏହା ଉପରେ ନିଷେଧାଜ୍ଞା ଜାରି କରାଯିବାର କୌଣସି ଅର୍ଥ ନାହିଁ।ସେ ଆହୁରି ମଧ୍ୟ କହିଛନ୍ତି, ସାମାଜିକ ଗଣମାଧ୍ୟମ ଏବଂ ରିୟଲ୍-ଟାଇମ୍ ଇଣ୍ଟର୍ଭ୍ୟୁରୁ ମୁଁ ଯାହା ବୁଝିଲି ବିଶ୍ବବ୍ୟାପୀ କେତେକ ଗୋଷ୍ଠୀ ନରୀହ କେରଳବାସୀଙ୍କ ମନରେ ଗୋଟାଏ କାଳ୍ପନିକ ଧାରଣା ସୃଷ୍ଟି କରିଛନ୍ତି। ମୋ କହିବା କଥା, ସମ୍ପ୍ରତି କେରଳବାସୀଙ୍କର ଦୁଃସମୟ ଚାଲିଥିଲେ ବି ଆତଙ୍କବାଦୀ ସଙ୍ଗଠନମାନେ ନିରୀହ ଝିଅମାନଙ୍କୁ ଆତଙ୍କବାଦରେ ସାମିଲ କରୁଥିବା କାର୍ଯ୍ୟ ବିରୋଧରେ ପ୍ରତିବାଦ କରିବା ଉଚିତ।
ଧର୍ମ ଓ ସଭ୍ୟତାକୁ ରକ୍ଷା କଲେ ଆପଣ ସୁସ୍ଥ ଜୀବନଯାପନ କରିପାରିବେ। ତେଣୁ, ସପରିବାର, ବିଶେଷକରି, ନିଜ ନିଜର ଝିଅମାନଙ୍କ ସହିତ ବସି ‘ଦି କେରଳ ଷ୍ଟୋରି’ ଦେଖିବା ପାଇଁ ମୁଁ ଭାରତବାସୀଙ୍କୁ ଅନୁରୋଧ କରୁଛି।