ମନ୍ କୀ ବାତ୍ ନ ଶୁଣିବାରୁ ପିଲାଙ୍କୁ ଶାସ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମାସିକ ବେତାର ଅଭିଭାଷଣ ଶୁଣୁ ନ ଥିବାରୁ ତାଙ୍କୁ ମଧ୍ୟ କ’ଣ ଶାସ୍ତି ମିଳିବ ଏବଂ ଘରୁ ବାହାରକୁ ଛଡ଼ାଯିବ ନାହିଁ ବୋଲି ‘ପିଜିଆଇଏମ୍ଇଆର୍’ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନକୁ ବିଦ୍ରୂପ କରି ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣ ଏଡ଼ାଇ ଥିବାରୁ ୩୬ଜଣ ନର୍ସିଙ୍ଗ୍ ଶିକ୍ଷାର୍ଥୀମାନଙ୍କୁ ହଷ୍ଟେଲ୍ରୁ ଛଡ଼ାଯିବ ନାହିଁ କହି ଚଣ୍ଡୀଗଡ଼ର ‘ପିଜିଆଇଏମ୍ଇଆର୍’ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’କୁ ‘ମଙ୍କି ବାତ’ (ବାନର କଥା) ବୋଲି ଅଭିହିତ କରି ମହୁଆ ମୈତ୍ର ଟୁଇଟ୍ରେ ଲେଖିଛନ୍ତି: ମୁଁ ମଧ୍ୟ ‘ମଙ୍କି ବାତ୍’ ଶୁଣେନାହିଁ। ଥରେ ହେଲେ ଶୁଣି ନାହିଁ। କେବେ ବି ଶୁଣିନାହିଁ। ମତେ ମଧ୍ୟ କ’ଣ ଶାସ୍ତି ମିଳିବ? ମତେ କ’ଣ ସପ୍ତାହକ ପାଇଁ ଘରୁ ବାହାରକୁ ଛଡ଼ାଯିବ ନାହିଁ। ସତରେ ମୁଁ ଖୁବ୍ ଚିନ୍ତିତ।ଏଥିସହିତ ସାଂସଦ ମୈତ୍ର ଘଟଣାର ‘ନିଉଜ୍ ରିପୋର୍ଟ’ ମଧ୍ୟ ସଂଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ୍ ୩୦ ତାରିଖ ଦିନ କ୍ୟାମ୍ପ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ‘ମନ୍ କୀ ବାତ୍’ ପ୍ରସାରଣ କରାଯିବ ଏବଂ ଏଥିରେ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନର୍ସିଙ୍ଗ୍ ଏଜୁକେସନ୍’ର (ଏନ୍ଆଇଏନ୍ଇ) ସମସ୍ତ ନର୍ସିଙ୍ଗ୍ ଶିକ୍ଷାର୍ଥୀ ଯୋଗ ଦେବେ ବୋଲି ‘ପିଜିଆଇଏମ୍ଇଆର୍’ କର୍ତ୍ତୃପକ୍ଷ ଲିଖିତ ଆଦେଶନାମା ଜାରି କରିଥିଲେ।