ଏଥର ରଜକୁ ପ୍ରେମମୟ କରିବ ‘ଦିଲ୍ ମୋର ମାନେନା’ ଓ ‘ଗୁପ୍ଚୁପ୍’
ଭୁବନେଶ୍ୱର(ଆମ ଟିଭି): ଆଉ ଦିନ କେଇଟାରେ ଆରମ୍ଭ ହେବ ରଜ । ଗାଁ ଠୁ ସହର ସବୁଠି ଜମିବ ପିଠା, ପଣା ହସ ଖୁସିର ମାହୋଲ । ଆଉ ଏ ରଜକୁୁ ଆଉ ଟିକେ ସ୍ପେସାଲ କରିବା ପାଇଁ ଫ୍ରାଇଡେ ରିଲିଜ୍ରେ ଶୁଭମୁକ୍ତି କରୁଛି ଦୁଇ ଓଡ଼ିଆ ସିନେମା । ଗୋଟିଏ ହେଲା ‘ଦିଲ୍ ମୋର ମାନେନା’ ଏବଂ ଅନ୍ୟଟି‘ଗୁପ୍ଚୁପ୍’। ଦୁଇଟି ଯାକ ପ୍ରେମଭରା ସିନେମା । ଯାହା ଆରମ୍ଭରୁ ରଜର ପର୍ବକୁ ପ୍ରେମମୟ କରିଦେବ । ଏଇଠୁ ଉତ୍ସବ ଆରମ୍ଭ ହେଲା । ଆଗକୁ ଏ ଭିତରେ ୧୨ ଜୁନ୍ରେ ବିଶ୍ୱନାଥ, ତରଙ୍ଗ ଟାଟେଲାଇଟ ୱାର୍ଲ୍ଡ ଟିଭି ପ୍ରିମିୟରରେ ଚୋରଣୀ-୨ ଓ ସାର୍ଥକ ୱାର୍ଲ୍ଡ ଟିଭି ପ୍ରିମିୟରରେ ମୋ ପଣତ କାନିରେ ତୁ ମୁକ୍ତିଲାଭ ଅପେକ୍ଷାରେ ଅଛି ।
ପ୍ରଥମ ଥର ୟୁଏଫ୍ଓ ବ୍ୟବସ୍ଥାରେ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍ ମୋର ମାନେନା’ ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼, ବେଙ୍ଗାଲୁରରେ ମୁକ୍ତିଲାଭ ହେଉଛି । ଓଡ଼ିଶାରେ ପାଖାପାଖି ୩୫ଟି ହଲ୍ରେ ପଡ଼ୁଥିଲାବେଳେ ପୂର୍ବାହ୍ନ ୧୧ଟା ୪୫ରେ କଟକ ବୃନ୍ଦାବନ ଟକିଜ୍ରେ ପ୍ରିମିୟର ହୋଇଛି । ଏଥିରେ ପୂରା ଟିମ୍ ରହିଥିଲେ। ଆର୍ଆର୍ସି ଫିଲ୍ମସ ଏବଂ ମା’ ତାରିଣୀ ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ନିର୍ମିତ ଏହି ସିନେମାର ଲିଡ୍ରେ ପୁରୁଣା ଯୋଡ଼ି ସ୍ୱରାଜ-ଶିବାନୀ ଅଛନ୍ତି ।ତାଙ୍କ ସାଙ୍ଗକୁ ସଲିଲ ମିତ୍ର, ମିହିର ଦାସ, ହରି, ଉଷସୀ ମିଶ୍ର, ଗୁଡ୍ଡୁ, ଅମର ପ୍ରମୁଖ ଅଭିନୟ କରିଛନ୍ତି । ପ୍ରଯୋଜକ ଶ୍ରୀଧର ମାର୍ଥା ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ବଡ଼ କଥା ହେଲା ଏଥିରେ ସ୍ୱର୍ଗତ ସଲିଲ ମିତ୍ର ଓ ମିହିର ଦାସଙ୍କୁ ଏକାଠି ପୁଣି ପରଦାରେ ଦେଖିବେ ଦର୍ଶକ ।ସେହିପରି ରଜକୁ ତାଜା କରିବାକୁ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକଚର୍ଜ ପ୍ରେକ୍ଷାଳୟରେ ପ୍ରେମ ଏବଂ ଭାବଭରା ‘ଗୁପ୍ଚୁପ୍’ ବାଣ୍ଟିବ । କରୋନା କଟକଣା ପାଇଁ ଗତବର୍ଷ ରଜଠୁ ଏ ସିନେମା ମୁକ୍ତିଲାଭ ଅପେକ୍ଷାରେ ଥିଲା । ଦର୍ଶକ ଏହାର ଟିଜର୍, ପୋଷ୍ଟର୍, ଟ୍ରେଲର୍ ଓ ଗୀତକୁ ବହୁ ମାତ୍ରାରେ ପସନ୍ଦ କରିଥିଲେ । ଏ ସିନେମାର ମୁଖ୍ୟ ଭୂମିକାରେ ଅମ୍ଳାନ, ସନ୍ମୀରା, ଅନନ୍ୟା, ଶୈଳେନ୍ଦ୍ର, ପପୁ ପମ୍ପମ୍ ଓ ଅନ୍ୟମାନେ ରହିଛନ୍ତି ।