ପୁରୀ (ଆମ ଟିଭି): ଆଉ ଦିନକ ପରେ ଦାରୁବ୍ରହ୍ମଙ୍କ ଦିବ୍ୟସ୍ନାନ । ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାତି ୧୦ଟା ପରଠାରୁ ଆସନ୍ତାକାଲି ଅପରାହ୍ଣ ୨ଟା (୧୬ ଘଣ୍ଟା) ପର୍ୟ୍ୟନ୍ତ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ବାରଣ ହୋଇଛି। ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଇଁ ବିଭିନ୍ନ କାର୍ୟ୍ୟ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ।