ଜୁନ ୧୨ରେ ହେବନି ବିରୋଧୀଙ୍କ ମେଗା ମିଟିଂ

0

ଜୁନ ୧୨ରେ ହେବନି ବିରୋଧୀଙ୍କ ମହା ବୈଠକ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକ ଡକା ଯାଇଥିଲା। ପାଟନାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧିକାଂଶ ବିରୋଧୀ ଦଳଗୁଡ଼ିକ ଯୋଗ ଦେବାର ସମ୍ଭାବନା ଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ବୈଠକ ସ୍ଥଗିତ ହୋଇଯାଇଛି। ଏ ସମ୍ପର୍କରେ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୂଚନା ଦେଇଛନ୍ତି। ଏଥିସହ ବୈଠକ ସ୍ଥଗିତ ହେବା ପଛରେ କଂଗ୍ରେସ ରହିଥିବା ସେ କହିଛନ୍ତି।

ପାଟନାରେ ସେ କହିଛନ୍ତି ଯେ “ସବୁ ଦଳର ମୁଖ୍ୟଙ୍କ ସହ କଥା ହୋଇ ବୈଠକର ନୂଆ ତାରିଖ ଘୋଷଣା କରାଯିବ। ଆମେ ପ୍ରଥମେ ଜୁନ ୧୨ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ କଂଗ୍ରେସ ଓ ଆଉ ଗୋଟିଏ ଦଳ ଏହି ତାରିଖ ଉପଯୁକ୍ତ ହେଉ ନଥିବା ମୋତେ ଜଣାଇଥିଲେ। ତେଣୁ ମୁଁ ବୈଠକକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏଥିସହ କଂଗ୍ରେସକୁ ଅନ୍ୟ ଦଳଗୁଡ଼ିକ ସହ କଥା ହୋଇ ନୂଆ ତାରିଖ ବିଷୟରେ ଜଣାଇବାକୁ କହିଛି। କିନ୍ତୁ ଏଠାରେ ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି। ବିରୋଧୀଙ୍କ ମହା ବୈଠକରେ ଯୋଗ ଦେବାକୁ ରାଜି ଥିବା ଦଳ ଗୁଡ଼ିକୁ ସେମାନଙ୍କ ମୁଖ୍ୟମାନେ ପ୍ରତିନିଧିତ୍ୱ କରିବେ। ଆଉ କେହି ଦଳଗୁଡ଼ିକୁ ପ୍ରତିନିଧିତ୍ୱ କଲେ, ଏହାକୁ ଆଦୌ ଗ୍ରହଣ କରାଯିବନି।

ଉଦାହରଣ ସ୍ୱରୂପ, କଂଗ୍ରେସ ସମ୍ଭବତଃ ନିଜର ମୁଖିଆଙ୍କ ବଦଳରେ ଆଉ କାହାକୁ ବୈଠକକୁ ପଠାଇଲା। ତେବେ ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ।”କଂଗ୍ରେସ ସମେତ ସବୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାକୁ ନୀତୀଶ କୁମାର ଗତବର୍ଷ ଠାରୁ ଉଦ୍ୟମ କରୁଛନ୍ତି। ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକି ଥିବା ବେଳେ ସେ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଚାହୁଁଛନ୍ତି।

Leave A Reply

Your email address will not be published.