ବିଜେପି ଶିବସେନା ମଧ୍ୟରେ ଫାଟ
ମହାରାଷ୍ଟ୍ରରେ ଏକାଠି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଶିବସେନା ପକ୍ଷରୁ ଗୋଟିଏ ବିଜ୍ଞାପନ ଦିଆଯାଇଛି। ଏହି ବିଜ୍ଞାପନରେ କୁହାଯାଇଛି ଯେ “ରାଷ୍ଟ୍ରରେ ମୋଦି, ମହାରାଷ୍ଟ୍ରରେ ସିନ୍ଦେ।”
ଏପରି ବିଜ୍ଞାପନ ସମସ୍ତଙ୍କୁ ଚକିତ କରିଛି। କାରଣ ପୂର୍ବରୁ ବିଜେପି ସବୁବେଳେ କହୁଥିଲା ଯେ “ଦିଲ୍ଲୀରେ ନରେନ୍ଦ୍ର ଓ ରାଜ୍ୟରେ ଦେବେନ୍ଦ୍ର।” ତେଣୁ ଏବେ ଶିବସେନା ଦେଇଥିବା ବିଜ୍ଞାପନରେ ଦେବେନ୍ଦ୍ର ଫଡନାଭିସଙ୍କୁ ଅଣଦେଖା କରାଯାଇଛି।
ବିଜ୍ଞାପନରେ ଆହୁରି କୁହାଯାଇଛି ଯେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ତୁଳନାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଲୋକପ୍ରିୟତା ଅଧିକ ରହିଛି। ନିକଟରେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ଓ ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେକୁ ଆଧାର କରି ଶିବସେନା ବିଜ୍ଞାପନରେ ଏହାକୁ ସ୍ଥାନ ଦେଇଛି।
ସର୍ଭେ ଅନୁସାରେ, ମହାରାଷ୍ଟ୍ରର ୨୬.୧% ଲୋକ ସିନ୍ଦେଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଫଡନାଭିସଙ୍କ ସପକ୍ଷରେ ୨୩.୨% ଲୋକ ମତ ରଖିଥିଲେ।
ଶିବସେନା ବିଜ୍ଞାପନରେ କୁହାଯାଇଛି ଯେ ବିଜେପିର ଲୋକପ୍ରିୟତା ୩୦.୨% ରହିଥିବା ବେଳେ ଶିବସେନାର ଲୋକପ୍ରିୟତା ୧୬.୨% ରହିଛି। ଦୁଇ ଦଳ ମିଳିତ ଭାବେ ୪୬%ରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ସିନ୍ଦେ ଲାଗୁ କରିଥିବା ଜନକଲ୍ୟାଣ ଯୋଜନା ଗୁଡ଼ିକ ପାଇଁ ଲୋକପ୍ରିୟତା ବଢ଼ିଥିବା ବିଜ୍ଞାପନରେ ଦାବି କରାଯାଇଛି।
ତେବେ ଫଡନାଭିସଙ୍କୁ ବାଇପାସ୍ କରି ସିନ୍ଦେଙ୍କୁ ବିଜ୍ଞାପନରେ ପ୍ରଶଂସା କରିବା ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦୁଇ ଦଳ ଭିତରେ ଏହାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।