ପିତାମାତାଙ୍କୁ ଅବହେଳା କଲେ ୩ ବର୍ଷ ଜେଲ୍

0

ପିତାମାତାଙ୍କୁ ଅବହେଳା କରିବା ଏଣିକି ପଡ଼ିବ ମହଙ୍ଗା । ନିଜ ବାପା-ମାଆଙ୍କ ସମ୍ପତ୍ତି ହାତେଇବା ପରେ ସେମାନଙ୍କ ଯତ୍ନ ନନେଲେ କିମ୍ବା ନିର୍ଯାତନା ଦେଲେ ମିଳିବ ୩ ବର୍ଷର ଜେଲ୍ ଦଣ୍ଡ । ବୃଦ୍ଧ ପିତାମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କେରଳ ସରକାର ଏଭଳି ଏକ କଡ଼ା ପଦକ୍ଷେପ ନେଇଛନ୍ତି । ରାଜ୍ୟ ବିଧାନସଭାରେ ଗୃହୀତ ହୋଇଥିବା ନୂଆ ବିଲ୍‌ରେ ଏହି ବ୍ୟବସ୍ଥା ରହିଛି । କେରଳମ୍ ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନ୍ ଏନେଇ ଘୋଷଣା କରିଛନ୍ତି । ପଥାନାପୁରମର ଗାନ୍ଧୀ ଭବନରେ ବୟସ୍କ ପୁରୁଷଙ୍କ ପାଇଁ ନିର୍ମିତ ଏକ ଆଧୁନିକ ଆବାସିକ କେନ୍ଦ୍ର ‘ପିତୃମନ୍ଦିରମ୍’ର ଉଦ୍‌ଘାଟନ ଅବସରରେ ସେ ଏହି ସୂଚନା ଦେଇଥିଲେ । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଅକ୍ଟୋବର ୨୬ ତାରିଖରେ ବିଧାନସଭାରେ ବୃଦ୍ଧବୃଦ୍ଧାଙ୍କ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଏହି ବିଲ୍ ଗୃହୀତ ହୋଇଛି । ଏଥିରେ ପିତାମାତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବା ପରେ ସେମାନଙ୍କୁ ଅବହେଳା କରୁଥିବା ସନ୍ତାନଙ୍କ ପାଇଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ ।

ସତୀସନ୍ କହିଛନ୍ତି, ଜାଣିଶୁଣି ଏହି ଆଇନରେ ଏଭଳି କଡ଼ା ବ୍ୟବସ୍ଥା ଯୋଡ଼ାଯାଇଛି । ଯେଉଁମାନେ ପିତାମାତାଙ୍କ ସମ୍ପତ୍ତି ହଡ଼ପ କରିବା ପରେ ସେମାନଙ୍କ ଯତ୍ନ ନେଉନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯିବ । ପିଲାମାନଙ୍କୁ ବଡ଼ କରିବା ପାଇଁ ପିତାମାତା ସାରା ଜୀବନ ଅନେକ ତ୍ୟାଗ ଓ କଷ୍ଟ ସହିଥାନ୍ତି । ତେଣୁ ବୟସ୍କ ହେବା ପରେ ସନ୍ତାନମାନେ ନିଜ ପିତାମାତାଙ୍କ ପ୍ରତି ଦାୟିତ୍ୱ ଭୁଲିଯିବା ଉଚିତ୍ ନୁହେଁ ।

ସେ ଆହୁରି କହିଛନ୍ତି, ବୟସ ବଢ଼ିବା ପରେ ଅନେକ ପିତାମାତା ନିଜ ସନ୍ତାନଙ୍କ ଦ୍ୱାରା ଅବହେଳାର ଶିକାର ହେଉଛନ୍ତି । ରାଜ୍ୟରେ ଏଭଳି ସଂସ୍କୃତିକୁ ରୋକିବା ଆବଶ୍ୟକ । ଆମକୁ ଏକ ନୂଆ ସାମାଜିକ ସଂସ୍କୃତି ଗଢ଼ିବାକୁ ହେବ, ଯେଉଁଠି ପିତାମାତାଙ୍କୁ ସନ୍ତାନମାନେ ନିଜ ପାଖରେ ରଖି ଯତ୍ନ ନେବେ । ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, କେରଳରେ ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ପୃଥକ ବିଭାଗ ଗଠନ କରିବା ୟୁଡିଏଫ୍ ସରକାରଙ୍କ ପ୍ରଥମ ନିଷ୍ପତ୍ତି ଥିଲା । ରାଜ୍ୟର କୌଣସି ବୃଦ୍ଧ ବ୍ୟକ୍ତି ଯେପରି ଏକାକୀ ଜୀବନ ବିତାଇବାକୁ ବାଧ୍ୟ ନହୁଅନ୍ତି, ତାହା ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.