ଜଗନ୍ନାଥଙ୍କ ନାଁରେ ଲୁଟ

0

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲିଛି ମହା ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି ‘ଉତ୍ସବ’ ନାମକ ଏକ ଅନଲାଇନ୍‌ ପ୍ଲାଟଫର୍ମ। ଅନ୍‌ଲାଇନରେ ବିଜ୍ଞାପନ ଦିଆଯାଇ ଭକ୍ତଙ୍କ ଭାବନା ସହ ଖେଳ ଖେଳାଯାଉଛି। କୋଲକତାରୁ ଏହି ଆପ୍‌ ପରିଚାଳିତ ହେଉଛି।‘ଉତ୍ସବ’ ଆପ୍‌ରେ କୁହାଯାଇଛି, ଯେ କୌଣସି ସ୍ଥାନରେ ରହିଥିଲେ ମଧ୍ୟ ଭକ୍ତମାନେ ଅନଲାଇନ୍‌ ବୁକିଂ କରିପାରିବେ। ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ନିର୍ମାଲ୍ୟ ପଠାଯିବର ଅଫର ଦିଆଯାଇଛି। ମହାପ୍ରଭୁଙ୍କ ମସ୍ତିଷ୍କରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି କୁହାଯାଇଛି। ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ କୁହାଯାଇଛି। ମହାପ୍ରଭୁଙ୍କୁ ଭୋଗ ଲଗେଇବା ପାଇଁ ପୃଥକ୍‌ ପୃଥକ୍‌ ରେଟ୍ ଚାର୍ଟ ରହିଛି। ମାସିକିଆ ଭୋଗ କଲେ ୮୦୦୦ ଟଙ୍କା, ରଥରେ ଭୋଗ ପାଇଁ ୪୫୦୦ ଟଙ୍କା ଦେଇ ବୁକିଂ କଲେଣି ୩,୭୦୦ ଭକ୍ତ।

‘ଉତ୍ସବ’ ଆପ୍‌ ବିଜ୍ଞାପନରେ ଆହୁରି କହିଛି, ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪,୫୦୧ ଟଙ୍କା ପୈଠ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବାକୁ ହେଲେ ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ ବୋଲି କୁହାଯାଇଛି। ମନ୍ଦିରରେ ନାଁ ଓ ଗୋତ୍ରରେ ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଦେବାକୁ ଆପ୍‌ରେ ଉଲ୍ଲେଖ ରହିଛି। ଯାହାକୁ ସେବାୟତମାନେ ବିରୋଧ କରିଛନ୍ତି।

Leave A Reply

Your email address will not be published.