ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

0

କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ। ହାଇକୋର୍ଟରେ ଦାୟର ରିଟ୍ ଅପିଲର ଶୁଣାଣି କରି ଏହି ନୋଟିସ ଜାରି କରିଛନ୍ତି ଅଦାଲତ। ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଗତ ଅକ୍ଟୋବର ୨୮ ତାରିଖରେ ଚାମେଲିଙ୍କ ସରପଞ୍ଚ ପଦବୀ କାଏମ ରଖିବା ନେଇ ରାୟ ପ୍ରକାଶ ପାଇଥିଲା। ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଦର୍ଶାଇ ଚାମେଲି ଓଝାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ ହାଇକୋର୍ଟ। ତେବେ ଏକକ ବିଚାରପତିଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ଗତ ଅଗଷ୍ଟ ୧୧ ତାରିଖରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ।

ଚାମେଲିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାବେଳେ ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୧୦ ଓ ୧୧ ତାରିଖରେ ଦୁଇଦିନ ଧରି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବ, କିନ୍ତୁ ଅଦାଲତଙ୍କ ଅନୁମତି ବିନା ଫଳାଫଳ ପ୍ରକାଶ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଚାମେଲି ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ଆଇନ ଅନୁଯାୟୀ ଅନାସ୍ଥା ବୈଠକ ପୂର୍ବରୁ ରିଜୋଲ୍ୟୁସନ୍, ରିକ୍ୱିଜିସନ୍ ଓ ନୋଟିସର ନକଲ ତାଙ୍କୁ ପ୍ରଦାନ କରାଯାଇନଥିଲା। ତେଣୁ ତାଙ୍କ ବିରୋଧରେ ଜାରି ଅନାସ୍ଥା ନୋଟିସ ଓ ସମସ୍ତ ପ୍ରକ୍ରିୟାକୁ ରଦ୍ଦ କରିବାକୁ ସେ ପ୍ରାର୍ଥନା କରିଥିଲେ।

ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଓ ସମ୍ପୃକ୍ତ ନିୟମାବଳୀର ଉଲ୍ଲଂଘନ କରି ଅନାସ୍ଥା ପ୍ରସ୍ତାବର ନୋଟିସ ଜାରି କରାଯାଇଥିବା ଏବଂ ଏଥିପାଇଁ ବୈଠକ ଡକାଯାଇଥିବା ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହାକୁ ଆଧାର କରି ଚାମେଲିଙ୍କ ସରପଞ୍ଚ ପଦବୀ କାଏମ ରହିଥିଲା।

Dharitri –
Leave A Reply

Your email address will not be published.