ଅଡୁଆରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

0

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢ଼ିଲାଣି ଅଡ଼ୁଆ। ତାଙ୍କ ବିଶ୍ୱସ୍ତ ୟେଭ୍‌ଗେନି ପ୍ରିଗୋଝିନ୍‌ ରୁଷ ସେନା ବିରୋଧରେ ଯୁଦ୍ଧ ଡାକରା ଦେଇ ସାରିଛନ୍ତି। ଏପରିକି ସେ ନିଜ ‘ୱାଗ୍‌ନର୍‌’ ମିଲିଟାରୀ ଗ୍ରୁପକୁ ମସ୍କୋ ରାସ୍ତା ଉପରେ ଓହ୍ଲାଇ ଦେଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ରୁଷରେ ଗୃହ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି।

ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ, ଗତ କିଛି ମାସ ହେବ ମସ୍କୋର ‌ସାମରିକ ନେତୃତ୍ବ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି। ସେ ଅଭିଯୋଗ କରୁଛନ୍ତି ଯେ, ଏବେ ଉଭୟ ସେନା ଯୁଦ୍ଧ ଭୂମିରେ ପରସ୍ପରଙ୍କୁ ଭେଟିବେ। ଏଥିପାଇଁ ତାଙ୍କ ସୈନିକମାନେ ଦକ୍ଷିଣ ରୁଷ୍‌ର ରୋସ୍ତୋଭ୍‌ ଅଞ୍ଚଳରେ ପ୍ରବେଶ କରିଛନ୍ତି । ତେଣୁ ରୁଷ ଅଧିକାରୀ ରୋସ୍ତୋଭ୍‌ ସହରରେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ମସ୍କୋକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି। ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ରୋସ୍ତୋଭ୍‌ ରାସ୍ତା ଉପରେ ଏବେ ମାଳ ମାଳ ସୈନ୍ୟଙ୍କ ସହ ଟ୍ୟାଙ୍କର ବି ଦେଖିବାକୁ ମିଳୁଛି।

ୟେଭ୍‌ଗେନି ପ୍ରିଗୋଝିନ୍‌ ଅଡ଼ିଓ ମେସେଜରେ ଅଭିଯୋଗ କରିଛନ୍ତି ଯେ, ରୁଷ ସୈନ୍ୟ ଆମର ୨ ହଜାର ଯୋଦ୍ଧାଙ୍କୁ ମାରି ଦେଇଛନ୍ତି। ତେଣୁ ଦେଶରେ ସୈନ୍ୟ ନେତୃତ୍ୱକୁ ପ୍ରତିହତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଯିଏ ବି ଏହାର ବିରୋଧ କରିବ, ତାକୁ ରାସ୍ତାରୁ ହଟାଇ ଦେବୁ । ଆମେ ଅଗ୍ରସର ହେଉଛୁ ଏବଂ ଶେଷ ସୀମାରେ ପହଞ୍ଚିବୁ। ଏଥିସହ ଆମର ୨୫ ହଜାର ଯବାନ ମରିବା ପାଇଁ ପ୍ରସ୍ତୁତ ଥିବା ବି ଘୋଷଣା କରିଛନ୍ତି।

ୟୁକ୍ରେନରେ ଦୀର୍ଘ ଦିନ ଲାଗି ରହିଥିବା ଯୁଦ୍ଧରେ ନିଜ ସୈନିକମାନଙ୍କ ମୃତ୍ୟୁ ଲାଗି ୟେଭ୍‌ଗେନି ପ୍ରିଗୋଝିନ୍‌ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ‘ଚିଫ୍‌ ଅଫ୍‌ ଜେନେରାଲ୍‌ ଷ୍ଟାଫ୍‌’ ଭାଲେରି ଗେରାସିମୋଭ୍‌ଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ସାମରିକ ନେତୃତ୍ୱ ଯୋଗୁଁ ଘଟୁଥିବା ଦୁର୍ଗତିର ଅବସାନ ଘଟିବା ଉଚିତ। ଏଥିରେ ଯିଏ ବାଧା ଦେବ, ତାକୁ ବିନାଶ କରିଦେବୁ। ଏଇଟା ସାମରିକ ବିଦ୍ରୋହ ନୁହେଁ, ନ୍ୟାୟ ଯାତ୍ରା।

ଦିନେ ପୁଟିନଙ୍କ ଖାସ୍‌ ଥିବା ୟେଭ୍‌ଗେନି ପ୍ରିଗୋଝିନ୍‌ ଏବେ ତାଙ୍କ ବିରୋଧରେ ବିଦ୍ରୋହର ଡାକରା ଦେଇଛନ୍ତି। ସେ ମସ୍କୋକୁ ଦଣ୍ଡ ଦେବା ସହ ପ୍ରତିଶୋଧ ନେବା ପାଇଁ ପଣ କରିଛନ୍ତି।

ଏହି ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଉଥିବା ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କୁ ଗିରଫ କରିବାକୁ ରୁଷ ସରକାର ଆଦେଶ ଦେଇଛନ୍ତି। ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ସୈନ୍ୟ ଓ ୱାଗନରର ଶୀର୍ଘ ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ଦିନର ଲମ୍ବା ଆଲୋଚନା ସଫଳ ହୋଇ ପାରିନି। ଫଳରେ ଏବେ ଏହି କଳି ଦାଣ୍ଡରେ ପଡ଼ିଛି।

ପ୍ରିଗୋଝିନ୍‌ଙ୍କ ଘୋଷଣା ପରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଏବଂ ପ୍ରମୁଖ ସ୍ଥାନମାନଙ୍କରେ ରୁଷ୍‌ ସରକାର ସୁରକ୍ଷା ବ୍ୟବସ୍ଥା କଠୋର କରିଛନ୍ତି।

‘ୱାଗ୍‌ନର୍‌’ ମିଲିଟାରୀ ଗ୍ରୁପ – ଏହି ଗ୍ରୁପ୍‌ ରୁଷର ଏକ ପ୍ରାଇଭେଟ ମିଲିଟାରୀ କମ୍ପାନୀ। ୧୦ ବର୍ଷ ପୂର୍ବେ ୨୦୧୩ ମସିହାରେ ଏହି ଗ୍ରୁପ୍‌ ପ୍ରତିଷ୍ଠା ହୋଇଥିଲା। ଦିମିତ୍ରୀ ଉତ୍କିନ୍‌ ଏହି ଗ୍ରୁପ୍‌ ଗଢ଼ିଥିଲେ। ସେ ରୁଷରେ ଗୁଇନ୍ଦାଗିରି କାମ କରୁଥିଲେ। ସେ ହିଟଲରଙ୍କ ଫ୍ୟାନ୍‌ ଥିଲେ। ହିଟଲର ମ୍ୟୁଜିକ କମ୍ପୋଜର ରିଚର୍ଡ ୱାଗନରଙ୍କ ପ୍ରଶଂସକ ଥିବାରୁ ଦିମିତ୍ରୀ ଉତ୍କିନ୍‌ ନିଜ ଗ୍ରୁପ୍‌ ନାଁ ‘ୱାଗ୍‌ନର୍‌’ ରଖିଥିଲେ। ୨୦୨୨ ମସିହାରେ ଏହି ଗ୍ରୁପ୍‌କୁ କମ୍ପାନୀ ଭାବେ ରେଜିଷ୍ଟର କରାଯାଇଛି।

Leave A Reply

Your email address will not be published.