ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ ପୁଲିସ

0

ବାରିପଦା: ଶିମିଳିପାଳ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ କର୍ତ୍ତୃପକ୍ଷ। ଜଙ୍ଗଲ ଡ୍ୟୁଟିରେ ନାହାନ୍ତି ୮ ଶହରୁ ଅଧିକ ବନ କର୍ମଚାରୀ। ଏହି କାରଣରୁ ପୁଲିସ ବିଭାଗର ସହାୟତା ଲୋଡ଼ିଛନ୍ତି ଶିମିଳିପାଳ ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ସୁରକ୍ଷାରେ ଏବେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ । ତେଣୁ ବିଶ୍ୱ ପ୍ରସିଦ୍ଧ ଜୈବବିବିଧତାର ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନ।

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଦୁଇ ଥର ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିବା ପରେ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତ ୨୩ତାରିଖ ପାଖରୁ ଓଡିଶା ଅଣଗେଜେଟେଡ୍ ବନସେବା ସଂଘ ଡାକରାରେ ୨୪୧ଜଣ ବନକର୍ମଚାରୀ ଆନ୍ଦୋଳନରେ ରହିଥିବା ବେଳେ ଜୁଲାଇ ୧ତାରିଖ ଠାରୁ ୭ଦଫା ଦାବିରେ ୬ଶହ ପ୍ରୋଟେକ୍ସନ ଆସିସ୍ଟାନସ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେଣୁ ୮ ଶହରୁ ଅଧିକ ବନ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି ନକରିବା ଫଳରେ ଶିମିଳିପାଳ ଏବେ ଖୋଲା ପଡ଼ିଥିବା ବେଳେ ଶିମିଳିପାଳ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ଶିମିଳିପାଳ ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହା ସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନମାନଙ୍କରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଲଗାଯିବା ବୋଲି କହିଛନ୍ତି ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ।

ଅନ୍ୟପଟେ

ଅନ୍ୟପଟେ ୨୭୫୦ ବର୍ଗ କିଲୋମିଟର ବ୍ୟାପି ରହିଥିବା ଶିମିଳିପାଳ ଅଭୟାରଣ୍ୟ ପୋଲ ଦ୍ୱାରା ସୁରକ୍ଷା ଦେବା ଘଟଣାକୁ ସହଜରେ ମାନିପାରୁନାହାନ୍ତି ପରିବେଶବିତ୍ । ଜଙ୍ଗଲରେ ଡ୍ୟୁଟି କରିବା ପାଇଁ ବନବିଭାଗକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଥାଏ। ତେଣୁ ପୁଲିସ ଅନ୍ୟ ଦିଗରେ ତାର କାର୍ଯ୍ୟ କରିପାରିବ, କିନ୍ତୁ ଶିମିଳିପାଳ ଭିତରେ ପୁଲିସ ବିଭାଗ ଡ୍ୟୁଟି କରିବା ବନବିଭାଗ ବା ଶିମିଳିପାଳ ପାଇଁ ଏତେଟା ଫଳପ୍ରଦ ହେବନାହିଁ ବୋଲି ମତ ରଖିଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ। ପୁଲିସ ସହିତ ସିଆରପିଏଫ ଯବାନଙ୍କୁ ଏଥିରେ ନିୟୋଜିତ କରାଗଲେ ଆହୁରି ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

Leave A Reply

Your email address will not be published.