ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, ରାଜ୍ୟ ବ୍ୟାପୀ ବିକ୍ଷୋଭ ପାଇଁ ଦେଲା ଚେତାବନୀ

0

ଭୁବନେଶ୍ୱର :ମାତ୍ର କେଇ ଘଂଟା ବର୍ଷା ପାଣିରେ ରାଜ୍ୟର ବିଭିନ୍ନ ଅଂଚଳରେ ମନୁଷ୍ୟାକୃତ ବନ୍ୟା ବିପଦ ମାଡ଼ିଆସିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ପୌରାଂଚଳ ବାସିନ୍ଦା ଆଜି ପାଣି ଘେରରେ । ରାଜ୍ୟ ସରକାର ଯଦି ଏହି ମନୁଷ୍ୟକୃତ ବନ୍ୟା ବା କୃତ୍ରିମ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ନକରନ୍ତି ତା’ହେଲେ ଆଗାମୀ ଦିନରେ କଟକ,ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ସବୁ ପୌରାଂଚଳରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବିଜେପି ଚେତାବନୀ ଦେଇଛି । ବର୍ଷାଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେନି ଓ ଅଜ୍ଞାତବାସରେ ରହିଲେ । କଟକ ଓ ଭୁବନେଶ୍ୱର ମେୟର ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ସିଙ୍ଗାପୁର ଯାଇ ସମୟ କାଟିଲେ ବୋଲି ବିଜେପି କଟାକ୍ଷ କରିଛି ।

ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏବେ ରାଜ୍ୟର ନଦୀ ଶୁଖିଲା ପଡ଼ିଛି, କିନ୍ତୁ ମନୁଷ୍ୟକୃତ ବନ୍ୟାରେ ସମଗ୍ର ଓଡିଶା ଆଜି ଜଳମଗ୍ନ ହୋଇପଡିଛି । ବର୍ଷା ଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଂଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରିଥିବା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ଭୁବନେଶ୍ୱର ଓ କଟକ ମହାନଗରରେ ଏଭଳି ଜଳବନ୍ଦୀ ସମସ୍ୟା ଆସିବା ପୂର୍ବରୁ ମେୟର ଓ ଅନ୍ୟମାନେ ସର୍ବଦଳୀୟ ବୈଠକ ଡାକିବା, ସମସ୍ତ ବିଭାଗ ସହିତ ସମନ୍ୱୟ ରଖି ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରିବର୍ତେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ପାଇଁ ସିଙ୍ଗାପୁରରେ ସମୟ କଟାଉଥିଲେ ।

ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଅସରାଏ ବର୍ଷାରେ ଭୁବନେଶ୍ୱର, କଟକ, ଭଦ୍ରକ ସମେତ ଅନ୍ୟାନ୍ୟ ସହରାଂଚଳରେ ରାସ୍ତା ଉପରେ ପାଣି ଲହଡ଼ି ମାରିବା ସହ ମୁକୁଳା ଡ୍ରେନରେ ପଡି ଲୋକଙ୍କ ଜୀବନ ଯାଉଛି । ଗତକାଲି କଟକରେ ଜଣେ ୨୧ ବର୍ଷୀୟ ଯୁବକ ଖୋଲା ଡ୍ରେନରେ ପଡ଼ିଯାଇ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦ ଘଟଣା । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସତ୍ୱେ ସାମାନ୍ୟ ବର୍ଷା ପାଣିରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଜଳବନ୍ଦୀରୁ ଭୁବନେଶ୍ୱରବାସୀଙ୍କୁ ରକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ ଘୋଷଣା କରିଥିଲେ ଏବଂ ଏଥି ପାଇଁ ୨୦୧୮ ମସିହାରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଛି ତାହାଲେ ଅସରାଏ ବର୍ଷାରେ କାହିଁକି ରାଜଧାନୀ ଜଳବନ୍ଦୀ ହେଉଛି ବୋଲି ପ୍ରଶ୍ନ କରିବା ସହିତ ଗତକାଲିର ମନୁଷ୍ୟାକୃତ ବନ୍ୟା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପ୍ରମାଣିତ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.