ଏବେ ରାଜ୍ୟରେ କେତେ ବାଘ, ଜାଣନ୍ତୁ
ଶିମିଳିପାଳରେ ବଢ଼ିଛି ବାଘ ସଂଖ୍ୟା, କିନ୍ତୁ ଓଡ଼ିଶାରେ କମିଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି। କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା ସୀମା ଭିତରେ ଆସୁଥିବା ଜଙ୍ଗଲରେ କମିଛି ବାଘ ସଂଖ୍ୟା।
୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ। ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ଏସଂପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।
ପୂର୍ବ ସଂଖ୍ୟା ହ୍ରାସକୁ ଦେଖିଲେ ବାଘଙ୍କ ଲାଗି ସୁରକ୍ଷିତ ନୁହେଁ କି ଓଡ଼ିଶା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ରାଜ୍ୟରେ କମି କମି ଚାଲିଛି ବାଘ ସଂଖ୍ୟା । ରାଷ୍ଟ୍ରୀୟ ବ୍ୟାଘ୍ର ସରକ୍ଷଣ ପ୍ରାଧିକରଣ(NTCA) ରିପୋର୍ଟରୁ ମିଳିଛି ଏଭଳି ଚିନ୍ତାଜନକ ତଥ୍ୟ । NTCA ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା।
ସେହିପରି ରାଜ୍ୟ ସରକାରଙ୍କ ନିଜସ୍ଵ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଅସିଥିଲା।